Categories: କୋରାପୁଟ

ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିରାଣୀ ରଥଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାମଗଡ କଲୋନୀର ଆମେ ୨୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲୁ। ସରକାରଙ୍କ ନିୟମ ଅନୁଯାଇ ୩ ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ସରକାରଙ୍କ ପକ୍ଷରୁ ବୋନସ ଟଙ୍କା ଜମା ଖାତାରେ ପ୍ରଦାନ କରାଯିବ। ଆମେ ହିତାଧିକାରୀମାନେ ଘର କାମ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିଛୁ। ମାତ୍ର ଏଯାଏ ଆମକୁ ବେନସ ଟଙ୍କା ମିଳିନାହିଁ। ଏଥିପାଇଁ ଦେଢବର୍ଷ ହେଲା ବ୍ଲକ ଅଫିସ ଦୌଡିଦୌଡି ଥକି ପଡିଲୁଣି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ସାମାଜିକ କର୍ମୀ ବି.ହରି ରାଓଙ୍କ ନେତ୍‌ୃତ୍ୱରେ ହିତାଧିକାରୀ ଜଗବନ୍ଧୁ ମୁଦୁଲି, ଗୁରୁବାରୀ ମୁଦୁଲି, ଲକ୍ଷ୍ମଣ ମୁଦୁଲି, ମୁକ୍ତା ମୁଦୁଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।