ବର୍ଷେ ବିତିଲା, ୩୨ ଏମ୍‌ସିସି କାମ ସରିଲାନି

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ରାଜଧାନୀରେ ୪୩ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧ ବର୍ଷ ମଧ୍ୟରେ ସମସ୍ତ ଏମ୍‌ସିସି କାମ ସମ୍ପୂର୍ଣ୍ଣ କରିବାକୁ ବିଏମ୍‌ସି ଇଞ୍ଜିନିୟରିଂ ସେଲ୍‌ ଲକ୍ଷ୍ୟ ରଖିଥିଲା। ମାତ୍ର ଇତିମଧ୍ୟରେ ଏକ ବର୍ଷ ୧୫ ଦିନ ବିତିଲା, କିନ୍ତୁ ସବୁଗୁଡ଼ିକର କାମ ସରିଲା ନାହିଁ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟୁଇଟର ହ୍ୟାଣ୍ଡେଲ୍‌ରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ ତାରିଖ ଅର୍ଥାତ୍‌ ସୋମବାର ସୁଦ୍ଧା ୪୩ଟିରୁ ମାତ୍ର ୧୧ଟି ଏମ୍‌ସିସିର କାର୍ଯ୍ୟ ସରିଛି। ଅବଶିଷ୍ଟ ୩୨ଟିର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଖୁବ୍‌ଶୀଘ୍ର ଏଗୁଡ଼ିକର କାର୍ଯ୍ୟ ଶେଷ ହେବ। ୬୭ ଓ୍ବାର୍ଡରେ ୪୩ ଏମ୍‌ସିସି କରାଯିବାକୁ ସ୍ଥିର ହୋଇଥିଲା। ଯେଉଁଥିରେ ଦୈନିକ ସଂଗ୍ରହ ହେଉଥିବା ଆବର୍ଜନାକୁ ଖତରେ ପରିଣତ କରାଯିବାକୁ ଯୋଜନା ରହିଛି। ଏ ନେଇ ବିଏମ୍‌ସି ଇଞ୍ଜିନିୟରିଂ ସେଲ୍‌ର ଜଣେ ଅଧିକାରୀ କହିଛନ୍ତି, କରୋନା ପାଇଁ ଗତ ୬ ମାସ ହେବ ଏମ୍‌ସିସି ଏବଂ ଅନ୍ୟ ବିକାଶମୂଳକ କାର୍ଯ୍ୟର ନିର୍ମାଣ କାମ ଅଟକିଛି। କରୋନା ଗାଇଡ୍‌ଲାଇନ୍‌ ମାନି ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିହେଉ ନାହିଁ। ଏହାଛଡ଼ା ବିଏମ୍‌ସି ଇଞ୍ଜିନିୟରିଂ ସେଲ୍‌ର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହୋଇଛି। ଆଗକୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏବେ ସୁଦ୍ଧା ୧୫ରୁ ଊର୍ଦ୍ଧ୍ୱ ଏମ୍‌ସିସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ସ୍ଥାନୀୟ ଲୋକଙ୍କ ବିରୋଧ ଓ ଅସହମତି ପାଇଁ କାର୍ଯ୍ୟ ଆରମ୍ଭ କରାଯାଇପାରି ନ ଥିବାବେଳେ ଏନେଇ ସେମାନଙ୍କ ସହ ବିଏମ୍‌ସି ଅଧିକାରୀ ଆଲୋଚନା ଜାରି ରଖିଛନ୍ତି। ଆଗକୁ କିଛି ସମାଧାନର ବାଟ କଢାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

Share