୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କଲେ ପ୍ଲାଣ୍ଟ ଶିଫ୍ଟ ଇନ୍‌ଚାର୍ଜ

ବଡ଼ବିଲ,୩ା୧୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ିଥାନା ଅନ୍ତର୍ଗତ ଲୋଇଡ଼ାପଦାସ୍ଥିତ ଏକ ପ୍ଲାଣ୍ଟର ସିଫ୍ଟ ଇନ୍‌ଚାର୍ଜ ୩୦ ଫୁଟ ଉଚ୍ଚରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲା ଆଳି ଥାନାଞ୍ଚଳର ସୁକାନ୍ତ ଦାସ(୩୦)।

ସୂଚନାନୁଯାୟୀ, ଶନିବାର ପୂର୍ବାହ୍ନରେ ଶିଫ୍ଟ ଇନ୍‌ଚାର୍ଜ ସୁକାନ୍ତ ଡ୍ୟୁଟି କରୁଥିବା ବେଳେ ପ୍ରାୟ ୩୦ ଫୁଟ ଉଚ୍ଚରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସୁକାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ବେଳେ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପ୍ଲାଣ୍ଟ୍‌ କର୍ତ୍ତୃପକ୍ଷଙ୍କ ଏତଲା ପରେ ରୁଗୁଡ଼ି ପୋଲିସ ମୃତଦେହକୁ ଶନିବାର ଜବତ କରି ୧୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରୁଗୁଡ଼ି ଥାନା ସବ୍‌-ଇନ୍ସପେକ୍ଟର ତରଣୀସେନ ବାଗ୍‌ କହିଛନ୍ତି, ଦୀର୍ଘଦିନରୁ ସୁକାନ୍ତ ପାରିବାରିକ ମାନସିକ ଚାପରେ ରହିଥିବାରୁ ଏହି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତକଙ୍କ ପରିବାର ଲୋକେ ରବିବାର ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି। ତେବେ ସାଧାରଣରେ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଆଲୋଚନା ହୋଇଛି।

Share