ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ

ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା ଏବେ ଚର୍ଚ୍ଚିତ ଖବର ପାଲଟିଛି।

ଆମେରିକାର ମ୍ୟାରିଲାଣ୍ଡର ଜଣେ ଯୁବକ ଘର ଭିତରେ ଏକ ବିଷଧର ସାପ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଯୋଜନା କରିଥିଲେ। ସାପକୁ ମାରିବା ପାଇଁ ଘର ଉପରକୁ ଜଳନ୍ତା କୋଇଲା ପକାଇଥିଲେ। ଏହା ପରେ ସାପ ମଲା କି ନାହିଁ ସେ ଖବର ନାହିଁ, କିନ୍ତୁ ପୂରା ଘର ଜଳିଯାଇଛି।

ଏକ ରିପୋର୍ଟ ଅନୁଯାୟୀ, ଯୁବକ ଜଣକ ଘରେ ଭୟଙ୍କର ସାପକୁ ଦେଖି ଜଳନ୍ତା କୋଇଲାକୁ ତା’ ଉପରକୁ ଫିଙ୍ଗିଥିଲେ। ସାପଟି କେଉଁଆଡ଼େ ଚାଲିଗଲା କିଛି ଜଣାପଡ଼ିଲାନି। କିନ୍ତୁ ୧୩ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଘରଟି ଜଳନ୍ତା କୋଇଲା ନିଆଁରେ ପୂରା ଜଳିଗଲା। ଏହି ନିଆଁକୁ ଆୟତ୍ତ କରିବା ପାଇଁ ୭୫ ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ଆସିଥିଲେ। ସେତେବେଳକୁ ଘରର ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଥିଲା। ଏହି ନିଆଁ ଏତେ ଭୟଙ୍କର ଥିଲା ଯେ, ଚାରିଆଡ଼କୁ ବ୍ୟାପି ଯାଇଥିଲା। ଫଳରେ ପୂରା ବିଲ୍ଡିଂଟା ଜଳି ଯାଇଥିଲା।

ଉଦ୍ଧାରକାରୀ ଦଳ କୁହନ୍ତି, ୧୦୦୦୦ ବର୍ଗଫୁଟ ବିଶିଷ୍ଟ ଏହି ଘରେ ଯୁବକ ଜଣକ ଏକ ସାପ ଦେଖିଥିଲେ। ଏହାକୁ ମାରିବା ପାଇଁ ତା’ ଉପରକୁ ଜଳନ୍ତା କୋଇଲା ଫିଙ୍ଗିଥିଲେ। ଫଳରେ ସାରା ଘରକୁ ନିଆଁ ବ୍ୟାପି ଯାଇଥିଲା। ଏଥିରେ ୧.୮ ମିଲିୟନ ଅର୍ଥାତ୍‌ ୧୩ କୋଟି ଟଙ୍କାର ଘରଟି ସମ୍ପୂର୍ଣ୍ଣ ଜଳିଗଲା।

Share