୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ

କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଛତିଗଡ଼ ରାଜ୍ୟ ଦେଭୋଗ ଥାନା ଚିଚିଆ ଦାସିପଡା ଗ୍ରାମର ପ୍ରେମଲାଲ ୟାଦବ।
ସୂଚନା ମୁତାବକ, ଗଣପତି ସ୍ପନ୍ଦନା ଅନ୍‌ଲାଇନ ଫାଇନାନ୍ସରେ କାମ କରୁଥିବା କହି ପ୍ରେମଲାଲ ରାବଣଗୁଡା ଗ୍ରାମର କିଛି ଲୋକଙ୍କୁ ଟଙ୍କା ଜମା କରିବାକୁ କହିଥିଲେ। ଟଙ୍କା ଜମା କରିବାର ୧୫ ମାସରେ ଦୁଇଗୁଣ ଟଙ୍କା ମିଳିବ ବୋଲିି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ। ପରବର୍ତ୍ତି ସମୟରେ ସେ ୧୨ଜଣଙ୍କ ନିକଟରୁ ୪ ଲକ୍ଷ ୬୨ ହଜାର ଟଙ୍କା ଆଦାୟ କରିଥିଲେ। କିଛି ଦିନ ପରେ ଜମାକାରୀମାନେ ଜମା ଟଙ୍କା ବିଷୟରେ ଜାଣିବା ନେଇ ଫୋନରେ ଯୋଗାଯୋଗ କରିଥିଲେ। ହେଲେ ଜମାକାରୀଙ୍କୁ ସେ ଟଙ୍କା ସମ୍ବନ୍ଧୀୟ କୌଣସି ସୂଚନା ନ ଦେଇ ଗାଳିଗୁଳଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ କୁମରମଣି ନିଆଲ ନାମକ ଜଣେ ଜମାକରୀ କୋକସରା ଥାନାରେ ଗତ ୩ ତାରିଖରେ ଅଭିଯୋଗ କରିଥିଲେ। ଏନେଇ କୋକସରା ଥାନା ପୋଲିସ ଏକ ମାମଲା(ନଂ.୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ପ୍ରେମଲାଲଙ୍କୁ ଛତିଶଗଡରୁ ଗିରଫ କରିଥିଲା।

Share