ନାଉଗାଁ,୨୪ା୧୧(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଇରା ଛକ ନିକଟରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ବ୍ରଜେଶ ରୋଶନ ରାୟ। ସେ ନିକଟସ୍ଥ ମୁଣ୍ଡାଳ ବଜାରରୁ ଟିଫିନ ଆଣି ଘରକୁ ଫେରୁଥିବା ସମୟରେ ଖଇରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଜଗତସିଂହପୁରରୁ ନାଉଗାଁ ଅଭିମୁଖେ ଯାଉଥିବା ବେଳେ ବ୍ରଜେଶଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ସରପଞ୍ଚ ଦୋଳଗୋବିନ୍ଦ ରାଉଳ, ସଭ୍ୟା ଶ୍ରାବଣୀ ରାୟ ଏବଂ ଗ୍ରାମବାସୀ ଛକ ନିକଟରେ ପହଞ୍ଚି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ, ପୁରୀ, ପାରାଦୀପ ଆଦି ସ୍ଥାନକୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଥାନାଧିକାରୀ ଅନିରୁଦ୍ଧ ନାୟକ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି। ବ୍ରଜେଶଙ୍କର ଘରେ ବିଧବା ସ୍ତ୍ରୀ, ମା ଏବଂ ଏକମାତ୍ର ପୁତ୍ର ଅଛନ୍ତି।