ହାଇକୋର୍ଟରେ ହାଜର ହେଲେ ବରୀ ଯୁବତୀ: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ମାମଲା

କଟକ ଅଫିସ,୧୮।୮: ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାରେ ସୋମବାର ଯାଜପୁର ଜିଲା ବରୀର ସମ୍ପୃକ୍ତ ଯୁବତୀ ଜଣକ ହାଇକୋର୍ଟରେ ହାଜର ହୋଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଏସ୍‌ପି ସଂପୃକ୍ତା ଯୁବତୀଙ୍କୁ କୋର୍ଟରେ ହାଜର କରାଇଛନ୍ତି। ଭିଡିଓ କନଫରେନ୍ସରେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ଏସ୍‌.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ସମ୍ମୁଖରେ ଯୁବତୀ ଜଣକ ହାଜର ହୋଇ ନିଜ ମତ ରଖିଛନ୍ତି। ବୁଧବାର ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ରୁ ଆବେଦନକାରିଣୀ ଯୁବତୀଙ୍କ ସହ ଯାଜପୁର ଜିଲା ବରୀ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଚାଲିଥିଲା। ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହିବା ପାଇଁ ୨୦୨୦ ମାର୍ଚ୍ଚ ୧୭ରେ ସେମାନେ ଭୁବନେଶ୍ୱର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ। ଏକଥା ଜାଣିବା ପରେ ବରୀ ଯୁବତୀଙ୍କ ମା’ ଓ ମାମୁ ବଳପୂର୍ବକ ତାଙ୍କୁ ଉଠାଇନେଇ ଆଉ ଜଣଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଥିଲେ। ଏନେଇ ଆବେଦନକାରିଣୀ ଯୁବତୀ ଖଣ୍ଡଗିରି ଓ ବରୀ ଥାନାରେ ଏତଲା ଦେଇଥିଲେ। କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଜୁଲାଇ ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share