ବାହାହେବାକୁ ଅଡିବସିଛନ୍ତି ପ୍ରେମିକା: ପ୍ରେମିକ ଘର ବାରଣ୍ଡାରେ ଧାରଣା

ବାଳକାଟୀ,୨୬/୯(ମନୋଜ ମଣ୍ଡଳ):ବାଲିଅନ୍ତା ଥାନା ଅଧୀନ ସରକଣା ଗ୍ରାମର ଜଣେ ଯୁବକଙ୍କୁ ବିବାହ କରିବା ଜିଦ୍‌ରେ ତାଙ୍କ ଘର ବାରଣ୍ଡାରେ ବୁଧବାର ଜଣେ ଯୁବତୀ ଧାରଣା ଦେଇଛନ୍ତି। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କ ପ୍ରେମିକା ବୋଲି ଦାବି କରିଥିବାବେଳେ କିଛିଦିନ ତଳେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ବଡଗଡ଼ ଥାନା ବଙ୍କୁଆଳ ଅଞ୍ଚଳରେ ସମ୍ପୃକ୍ତା ଯୁବତୀଙ୍କ ଘର ହୋଇଥିବା ବେଳେ ସେ ସରକଣା ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଅଢେଇ ବର୍ଷ ତଳେ ସୋସିଆଲ ମିଡ଼ିଆ ଜରିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଯୁବତୀ ଜଣକ ବେଳେବେଳେ ସମ୍ପୃକ୍ତ ଯୁବକଙ୍କ ଘରକୁ ଆସି ପରିବାର ସହମତିରେ ରହନ୍ତି। ଉଭୟ ପରସ୍ପରକୁ ବିବାହ ପାଇଁ ମଧ୍ୟ ସ୍ଥିର କରିଥିଲେ। ମାତ୍ର କିଛି ଦିନର ସମ୍ପର୍କ ଓ ମିଳାମିଶା ପରେ ଯୁବତୀଙ୍କୁ ବିବାହ ପାଇଁ ଯୁବକ ଜଣକ ମନା କରିଦେଇଥିଲେ। ଫଳରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯୁବତୀ ଜଣକ ବରଗଡ଼ ଥାନାରେ ସମ୍ପୃକ୍ତ ଯୁବକଙ୍କ ନାମରେ ପ୍ରେମ ଓ ପ୍ରତାରଣା ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏପରିକି କିଛିଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ କେତୋଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜକୁ ଆସିବା ସହ ଆଲୋଚନାର ବିଷୟ ପାଲଟିଥିଲା। ମାମଲା ରୁଜୁ ସତ୍ତ୍ୱେ ପୋଲିସ ପାଖରୁ ନ୍ୟାୟ ନ ମିଳିବା ପ୍ରତିବାଦରେ ଏବଂ ପ୍ରେମିକଙ୍କୁ ବିବାହ କରିବା ଜିଦ୍‌ରେ ଯୁବତୀ ଜଣକ ବୁଧବାର ପୂର୍ବାହ୍ନରେ ସମ୍ପୃକ୍ତ ଯୁବକଙ୍କ ଘର ଆଗରେ ଧାରଣାରେ ବସିରହିଥିଲେ। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ତାଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଡ଼ିବସିଥିଲେ।

Share