ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣବଳାତ୍କାର

କୁଚିଣ୍ଡା,୨୯ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଆଇପିସି ଦଫା ୩୭୬, ୩୭୬(ଡି), ୩୬୬, ୧୨୦(ବି)ରେ ଏକ ମାମଲା (ନଂ.୧୦୧/୨୩) ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରି ଗୁରୁବାର କୁଚିଣ୍ଡା ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦପୁର ଥାନା ଗଡ଼ପୋଷ (ଦେହୁରିପଡା)ର ଇନ୍ଦ୍ର ଛଞ୍ଚାଣ (୩୮) ଓ ସୁରଜ ଗନ୍ଧା (୩୨) ଏବଂ ବୋଲେରୋ ଚାଳକ ରବଗା ପଞ୍ଚାୟତ ନୂଆଁପାଲିର ଜୀବନଧନ ଲୁଗୁନ(୩୨)। ପୋଲିସ ଏଥିରେ ବ୍ୟବହୃତ ବୋଲେରୋ (ଓଆର୍‌୨୨ଇ ୫୪୪୫)କୁ ଜବତ କରିଛି। ଘଟଣା ସମ୍ବେଦନଶୀଳ ହୋଇଥିବାରୁ ସମ୍ବଲପୁର ଡିଏସ୍‌ପି ପ୍ରଭା ଧାନ ଏହାର ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ବୁଧବାର ଉଚ୍ଚକାପାଟ ପଞ୍ଚାୟତର ଟାଙ୍ଗରମୁଣ୍ଡା ଷ୍ଟେଟ୍‌ ବ୍ୟାଙ୍କକୁ କୌଣସି କାମରେ ଆସିଥିଲେ। ସେଠାରୁ କାମସାରି ଅପରାହ୍ନ ୧ଟାରେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସମ୍ପର୍କୀୟଙ୍କ ଘରକୁ ବାହାରିଥିଲେ। ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ସମୟରେ ବାଇକ୍‌ରେ ଇନ୍ଦ୍ର ଓ ସୁରଜ ଆସି ତାଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଦେବାକୁ କହି ବାଇକ୍‌ରେ ବସାଇ ମହାବୀର ପାହାଡ ଅଞ୍ଚଳକୁ ନେଇ ବଳାତ୍କାର କରିଥିଲେ। ପରେ ସେଠାରୁ ଯୁବତୀଙ୍କୁ ଗଡ଼ପୋଷକୁ ଆଣି ବୋଲେରୋ ଚାଳକଙ୍କୁ ଫୋନ୍‌ରେ ଡାକିଥିଲେ। ରାତିରେ ସେମାନେ ଗଡ଼ପୋଷରୁ ବିଦେଶୀ ମଦ କିଣି ପୀଡ଼ିତାଙ୍କୁ ଜୋର ଜବରଦସ୍ତି ମଦ ପିଆଇ ବୋଲେରୋରେ ନିଛାଟିଆ ସ୍ଥାନକୁ ନେଇ ପୁଣି ବଳାତ୍କାର କରିଥିଲେ। ବିଳମ୍ବିତ ରାତିରେ ସେମାନେ ପୀଡିତାଙ୍କୁ ମାତାଲ ଅବସ୍ଥାରେ ଛାଡିଦେଇ ଫେରାର ହୋଇଯାଇଥିଲେ। ପୀଡିତା ଗୁରୁବାର ଗୋବିନ୍ଦପୁର ଥାନାରେ ଲିଖିତ ଏତଲା ଦେବାରୁ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସମ୍ପର୍କୀୟ ଭାଇ ହୋଇଥିବାରୁ ତାଙ୍କୁ ବିଶ୍ୱାସ କରି ଯୁବତୀ ଜଣକ ତାଙ୍କ ବାଇକ୍‌ରେ ଯାଇଥିଲେ।

Share