ପ୍ରେମିକାଙ୍କୁ ହତ୍ୟା କରି ୭ ମାସ ଧରି ଏକ ଘରେ ମୃତଦେହ ଲୁଚାଇ ରଖିଥିଲେ ପ୍ରେମିକ, ଏମିତି ପଡ଼ିଲା ଜଣା…

ଓ୍ବାଶିଂଟନ,୭ା୮: ଆମେରିକାରେ ରହୁଥିବା ଜଣେ ଯୁବକ ନିଜର ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ୭ ମାସ ଧରି ଏକ ବନ୍ଦ କୋଠରିରେ ଲୁଚାଇ ରଖିଥିଲେ। ପ୍ରେମିକାଙ୍କ ଭଉଣୀ ଏ ସମ୍ପର୍କରେ ଜାଣିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ମିଶିଗାନ ସହରରେ ରହୁଥିବା ୩୭ ବର୍ଷୀୟ ମ୍ୟାଥ୍ୟୁ ଲେମ୍ବିସ୍କି ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି କି, ସେ ତାଙ୍କ ପ୍ରେମିକା ଜେରି ଓ୍ବିଣ୍ଟର୍ସଙ୍କୁ ହତ୍ୟା କରିଥିଲେ। ଡିସେମ୍ବର ୨୦୨୦ରେ ତାଙ୍କ ପ୍ରେମିକାଙ୍କ ସହ ଝଗଡ଼ା ହେବାରୁ ନିଜ ଘରେ ଜେରିଙ୍କୁ ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ। ୭ ମାସ ପରେ ଯୁବତୀଙ୍କ ଭଉଣୀଙ୍କୁ ଏହା ଜଣାପଡ଼ିଥିଲା।

ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ମ୍ୟାଥ୍ୟୁ ଏବଂ ଜେରି କିଛିଦିନ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଗତବର୍ଷ ନଭେମ୍ବରରେ ଜେରି ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାଥ୍ୟୁ ଏହି କଥା ତାଙ୍କ ବନ୍ଧୁଙ୍କୁ କହିଥିଲେ। ସେ କହିଥିଲେ ଯଦି ଜେରି ଫେରି ଆସିବେ ସେ ଆଉ ତାଙ୍କୁ ଘରେ ରଖିବେ ନାହିଁ। ଗତମାସରେ ଜେରି ମାଥ୍ୟୁଙ୍କ ନିକଟକୁ ଫେରିଥିଲେ। ଏହା ପରେ ଦୁହିଁଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଥ୍ୟୁ ଜେରିଙ୍କୁ ହତ୍ୟା କରିଥିଲେ। ଧରା ପଡ଼ିଯିବା ଭୟରେ ମୃତଦେହକୁ ଏକ ଘରେ ଲୁଚାଇ ରଖିଥିଲେ। ଘରୁ ଦୁର୍ଗନ୍ଧ ଆସୁଥିବା ପଡ଼ୋଶୀ କହିଥିଲେ। ସେମାନେ ଭାବୁଥିଲେ କୌଣସି ଜୀବଜନ୍ତୁ ବୋଧେ ମରିଛନ୍ତି। ମାତ୍ର ଦିନକୁ ଦିନ ଏହି ଦୁର୍ଗନ୍ଧ ଅଧିକ ହେବାରୁ ସନ୍ଦେହ ହୋଇଥିଲା। ପରେ ତାଙ୍କ ପଡ଼ୋଶୀ ଜ୍ୟାକଲିନ୍‌ ଜେରିଙ୍କ ଭଉଣୀଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରିବା ସହ ମାଥ୍ୟୁଙ୍କୁ ଗିରଫ କରିଛି।

Share