ଅର୍ଡର ନ ଦେଇ ପାର୍ସଲରୁ ବାହାରିଲା କଳା କପଡ଼ା

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ବଣ ଜଙ୍ଗଲ ଘେର ମଧ୍ୟରେ ଥିବା ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲଟାଙ୍କି ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସବୁବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି ଏହାର ଫାଇଦା ନେଇ ତାଙ୍କୁ ଠକାଯାଇଥିବା ଜଣାପଡିଛି।

ପ୍ରକାଶ ଯେ, ସ୍ବାଧୀନ କୁମାର ସାହୁଙ୍କ ନାମରେ ଏକ ପାର୍ସଲ ଆସିଥିଲା।  ସେ ଏହି ଅର୍ଡରଟି କରି ନ ଥିଲେ ମଧ୍ୟ ତାଙ୍କ ପରିବାରର କେହି କରିଥିବେ ଭାବି ଘରକୁ ନ ପଚାରି ପାର୍ସଲଟିକୁ ରିସିଭ କରିବା ସହ ୧ ହଜାର ୪ ଟଙ୍କା ପୈଠ କରିଦେଲେ। ଘରକୁ ନେଇ ଖୋଲିବା ବେଳେ ସେଥିରେ ଏକ କଳାକପଡା ବାହାରିଥିଲା। ତାଙ୍କ ପରିବାର ଫ୍ଲିପ୍‌କାର୍ଟରେ ଅର୍ଡର କରିଥିବା ବେଳେ ଯେଉଁ ପାର୍ସଲଟି ଆସିଛି ସେହି କମ୍ପାନୀରୁ କୌଣସି ଅର୍ଡର ଦେଇ ନ ଥିବା ଜାଣିଥିଲେ। ଉକ୍ତ ଅନ୍‌ଲାଇନ ଏଜେନ୍ସିର ନାମ ଜେନ୍ନି କ୍ରିଏଶନ ଭବାନୀପାଟଣା ଥିବା ସ୍ବାଧୀନ କହିଛନ୍ତି। ଏ ନେଇ ପୋଲିସରେ ଅଭିଯୋଗ କରିବି ବୋଲି କହିଛନ୍ତି। ସୂଚନା ଯୋଗ୍ୟ,ଚଳିତ ସପ୍ତାହରେ ଜିଲା ପୋଲିସ ପକ୍ଷରୁ ସାଇବର ଠକେଇରୁ ସୁରକ୍ଷା ପାଇବା ପାଇଁ ସଚେତନ କରାଯାଇଥିଲେ ସୁଦ୍ଧା ଦୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାରେ ଲାଗିଛନ୍ତି।