Categories: ଜାତୀୟ

ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭୂତାଣୁ

ନୂଆଦିଲ୍ଲୀ,୨୪।୧: ଆର୍ଟିକ୍‌ ବରଫ ତଳେ ପୋତିହୋଇ ରହିଥିବା ଜୋମ୍ବି ଭୂତାଣୁ ଆଉ ଏକ ଭୟଙ୍କର ମହାମାରୀ ଆଣିପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଫଳରେ ମାନବଜାତି ପାଇଁ ବଡ଼ ବିପଦ ଆସୁଥିବା ସେମାନେ ସତର୍କ କରାଇଛନ୍ତି। ଆର୍କ୍ଟିକର ସ୍ଥାୟୀ ତୁଷାର ଭୂମି ତରଳିବା ପରେ ଜୋମ୍ବି ଭୂତାଣୁ ବାହାରକୁ ଆସିବେ। ବିଶ୍ୱ ତାପନ ବଢ଼ୁଥିବାରୁ ବରଫ ତରଳିବା ଆଶଙ୍କା ସୃଷ୍ଟି ହୋଇଛି। ଗତବର୍ଷ ରୁଷିଆର ସାଇବେରିଆ ତୁଷାର ଭୂମି ଖନନରୁ ମିଳିଥିବା ଜୋମ୍ବି ଭାଇରସ୍‌ ନମୁନା ଦେଖାଇ ଗବେଷକମାନେ ଏହାର ଭୟାବହତା ସମ୍ପର୍କରେ ଚେତାଇ ଦେଇଛନ୍ତି। ଏହି ଭୂତାଣୁଗୁଡ଼ିକ ୪୮,୫୦୦ ବର୍ଷ ହେଲା ବରଫ ତଳେ ପୋତିହୋଇ ରହିଥିବା ସେମାନେ କହିଛନ୍ତି। ନୂଆ ମହାମାରୀ ପାଇଁ ଏହା ସମ୍ଭାବ୍ୟ ଏଜେଣ୍ଟ ବୋଲି ଆଇକ୍ସ-ମାର୍ସେଲି ୟୁନିଭର୍ସିଟିର ଜେନେଟିସିଷ୍ଟ ଜିନ୍‌-ମିଚେଲ କ୍ଲାଭେରି କହିଛନ୍ତି। ଏବେ ମହାମାରୀ ବିପଦ ଦକ୍ଷିଣ ଭାଗରେ ସୃଷ୍ଟି ହୋଇ ଉତ୍ତର ଭାଗକୁ ବ୍ୟାପୁଥିବାରୁ କ୍ଲାଭେରି ଚିନ୍ତା ପ୍ରକଟ କରିଛନ୍ତି। ସ୍ଥାୟୀ ତୁଷାର ଭୂମି ମଧ୍ୟରେ ଥିବା ଭୂତାଣୁ ସମ୍ଭବତଃ ପୋଲିଓର ପୁରାତନ ରୂପରେ ବ୍ୟାପିପାରେ ବୋଲି ରୋଟେରଡାମ୍‌ର ଏରାସମସ୍‌ ମେଡିକାଲ ସେଣ୍ଟରର ଭୂତାଣୁ ବିଜ୍ଞାନୀ ମାରିଅନ୍‌ କୁପ୍‌ମାନ୍ସ କହିଛନ୍ତି। ହଜାର ହଜାର ବର୍ଷ ବରଫ ତଳେ ରହିବା ସତ୍ତ୍ୱେ ଏହି ଜୀବନ୍ତ ଭୂତାଣୁ ଏକକୋଷୀ ପ୍ରାଣୀଙ୍କୁ ସଂକ୍ରମିତ କରିବା କ୍ଷମତା ରଖିଥିବା ଦେଖାଯାଇଛି।

Share