
ଥୁଆମୂଳ ରାମପୁର,୨୬ା୩ (ଦୁର୍ଗା କୀର୍ତ୍ତି):ବର୍ତ୍ତମାନ କୌଣସି ସରକାରୀ ଯୋଜନାର ଲାଭ ପାଇବାକୁ ହେଲେ ଆଧାର କାର୍ଡକୁ ମୁଖ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଛି। ଏପରି କି ପିଲାଙ୍କ ପାଠପଢା ପାଇଁ ଆଧାର ଜରୁରୀ ହୋଇପଡିଛି। ହେଲେ ଆଧାର କାର୍ଡ ନ ଥିବାରୁ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଏକ ପରିବାର ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେବା ଭଳି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ଏହି ଗ୍ରାମର ବିଷିକେଶନ ମାଝୀ ତାଙ୍କ ବାପା ଓ ମା’ଙ୍କ ଆଧାର କାର୍ଡ ପାଇଁ ବହୁବାର ଆବେଦନ କରିଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ସେହିପରି ବିଶିକେସନଙ୍କ ୫ ଝିଅପୁଅ ନବୀନ ମାଝୀ (୧୫), ହିମାଞ୍ଜଳୀ ମାଝି (୩), ମାଙ୍ଗତିଆ ମାଝୀ (୯), ନାଲେନୀ ମାଝୀ (୫) ଓ ବନିତା ମାଝୀ (୨)ଙ୍କ ଆଧାର କାର୍ଡ ନ ଥିବାରୁ ପାଠପଢିବାରୁ ବଞ୍ଚତ୍ତ ରହିଥିବା ଜଣାପଡିଛି। ଏପରି କି ରାଶନ ସାମଗ୍ରୀ ଓ ଆବାସ ଯୋଜନାରୁ ବଞ୍ଚତ୍ତ ହୋଇଥିବା ପରିବାର ସଦସ୍ୟ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ତରଫରୁ ଅନେକ ସମୟରେ ଆଧାର କ୍ୟାମ୍ପ କରୁଛୁ। ହେଲେ କୌଣସି କାରଣରୁ ଅନେକ ଲୋକ ଏଥିରୁ ବଞ୍ଚତ୍ତ ରହୁଛନ୍ତି। ତଥାପି ଏହାର ସମାଧାନର ବାଟ କାଢ଼ିବେ ବୋଲି କହିଥିଲେ।