Categories: ଜାତୀୟ

ନିର୍ବାଚନ ଆଇନ ସଂଶୋଧନ ବିଲ, ୨୦୨୧ ଲୋକ ସଭାରେ ଆଗତ

ନୂଆଦିଲ୍ଲୀ,୨୦।୧୨: ନିର୍ବାଚନ ଆଇନ (ସଂଶୋଧନ) ବିଲ,୨୦୨୧ ଲୋକ ସଭାରେ ଆଗତ କରାଯାଇଛି। ଏହି ବିଲରେ ଭୋଟର କାର୍ଡକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହାପୂର୍ବରୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏମଆଇଏମ, ଆରଏସପି, ବିଏସପି ଭଳି ଦଳ ଏହି ବିଲ ପ୍ରଣୟନକୁ ବିରୋଧ କରିଥିଲେ। ନାଗରିକଙ୍କ ମୌଳିକ ଅଧିକାରକୁ ଏହି ବିଲ କ୍ଷୁର୍ଣ୍ଣ କରିବ ବୋଲି ବିରୋଧୀ କହିଛନ୍ତି। ଏହି ବିଲ୍‌କୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ କଂଗ୍ରେସ ଦାବି କରିଛି।
ଆଇନ ମନ୍ତ୍ରୀ କିରେନ ରିଜିଜୁ ଲୋକ ସଭାରେ ନିର୍ବାଚନ ଆଇନ (ସଂଶୋଧନ) ବିଲ ଆଗତ କରିଥିଲେ। ଏହା ମାଧ୍ୟମରେ ଲୋକ ପ୍ରତିନିଧି ଅଧିନିୟମ, ୧୯୫୦ ଏବଂ ଲୋକ ପ୍ରତିନିଧି ଅଧିନିୟମ, ୧୯୫୧ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି। ମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଯେ, ସରକାର ନକଲି ଭୋଟକୁ ରୋକିବାକୁ ଚାହୁଁଛନ୍ତି । ଯାହାକୁ ଗୃହ ସମର୍ଥନ କରିବା ଉଚିତ ବୋଲି ସେ କହିଛନ୍ତି। ବିଲର ଆଭିମୁଖ୍ୟକୁ ବିରୋଧୀ ବୁଝିବା ଉଚିତ। ସୁପ୍ରିମକୋର୍ଟଙ୍କ ରାୟକୁ ଏହି ବିଲରେ ଆଦୌ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେ କହିଛନ୍ତି ।

 

Share