ସୁଭଦ୍ରା ଯୋଜନା ଲାଗି ଆଧାରକାର୍ଡ ସେଣ୍ଟରକୁ ଆସିଥିବା ମହିଳାଙ୍କଠୁ ନେଉଛନ୍ତି ମନଇଚ୍ଛା ଟଙ୍କା, କାର୍ଯ୍ୟାନୁଷ୍ଠାନ ଦାବି

ପୁରୁଷୋତ୍ତମପୁର,୧୦।୯ (ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ ଲାଗିରହୁଛି । ଏହାର ସୁଯୋଗ ନେଇ ପୁରୁଷୋତ୍ତମପୁରରେ ଥିବା ଆଧାରକାର୍ଡ ସେଣ୍ଟରରେ ଗରିବ ଶ୍ରେଣୀର ମହିଳା ମାନଙ୍କଠାରୁ ଅଧିକା ଲେଖାଏ ଟଙ୍କା ନେଉଥିବାର ଅଭିଯୋଗ ହୋଇଛି ।

ମୋବାଇଲ ଲିଙ୍କ, ଠିକଣା ସଂସୋଧନ, ବାୟୋମେଟ୍ରିକ ସଂସୋଧନ ଓ ନୂତନ ଆଧାରକାର୍ଡ କରିବା ଲାଗି ମନଇଚ୍ଛା ୨ଶହ ଠାରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋର ଜବରଦସ୍ତ ଆଦାୟ କରୁଛନ୍ତି। ଏହାକୁ ନେଇ ଆଧାରକାର୍ଡ ସେଣ୍ଟର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଭୁବନେଶ୍ବରର ଏକ କମ୍ପାନି ଏଠାରେ ସେଣ୍ଟର ଖୋଲିଛି । ତାଙ୍କର ନିର୍ଦ୍ଦେଶ ପ୍ରକାରେ କାର୍ଯ୍ୟ କରାଯାଉଛି। ଅନ୍ୟପଟେ ରାଜ୍ୟ ୟୁଆଇଡିଏଆଇ (ଆଧାରକାର୍ଡ ) ଡାଇରେକ୍ଟର କାର୍ଯ୍ୟାଳୟ ଭୁବନେଶ୍ବର, ଫୋନ ନଂ ୦୬୭୪ ୨୯୧୫୨୧୭ରେ ପିଏସଓ ଦେବିଦତ୍ତ ଗୋସ୍ବାମୀଙ୍କ ସହ ଯୋଗାଯୋଗ କରିବା ପରେ ସେ କହିଛନ୍ତି , ନୂତନ ଆଧାର କରିବା ଲାଗି ସମ୍ପୂର୍ଣ୍ଣ ମାଗଣା ରହିଥିବା ବେଳେ ମୋବାଇଲ ଲିଙ୍କ ଲାଗି ଶହେ ଟଙ୍କା, ବୟୋ ମେଟ୍ରିକ ଫିଙ୍ଗର ପ୍ରିଣ୍ଟ ଲାଗି ଶହେ ଟଙ୍କା ଓ ଠିକଣା ସଂଶୋଧନ ଓ ପରିବର୍ତ୍ତନ ଲାଗି ୫୦ ଟଙ୍କା ଫି’ ରହିଛି। ଏହି ନିର୍ଦ୍ଧାରିତ ଫି’ଠାରୁ ଯଦି ଆଧାର କାର୍ଡ ସେଣ୍ଟରରେ ଲୋକଙ୍କଠୁ ଏଭଳି ମନଇଚ୍ଛା ଅଧିକା ଫି’ ଆଦାୟ କରାଯାଉଛି, ସେଥିନେଇ ଲିଖିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ତୁରନ୍ତ ଏ ଦିଗରେ ୟୁଆଇଡିଏଆଇ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନ, ଜିଲାପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।

Share