Categories: ଜାତୀୟ

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ ସାମିଲ ହୋଇଯାଇଛି। ଆସନ୍ତା ବର୍ଷ ବିଧାନସଭାର ସମସ୍ତ ଆସନ ପାଇଁ ଏଏପି ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ଏଏପି ଦଳକୁ ବିସ୍ତାର ଓ ସୁଦୃଢ଼ କରିବା ପାଇଁ ସୋମବାର କେଜରିଓ୍ବାଲ ଅହମଦାବାଦରେ ପହଞ୍ଚିଛନ୍ତି। ଅହମଦାବାଦରେ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଏହି ଘୋଷଣା କରିଥିଲେ। ଏଥିସହ ସେ କହିଛନ୍ତି, ଆଜିକା ଦିନରେ ଗୁଜରାଟର ଯେଉଁ ସ୍ଥିତି ରହିଛି ତାହା କେବଳ ଭାଜପା ଓ କଂଗ୍ରେସ ସରକାରଙ୍କ ଲାଗି। ଗତ ୨୭ବର୍ଷରୁ ରାଜ୍ୟରେ ଗୋଟିଏ ଦଳର ହିଁ ସରକାର ଶାସନକ୍ଷମତାରେ ରହିଛନ୍ତି। ହେଲେ ଆଜିବି ରାଜ୍ୟରେ ଭଲ ସ୍କୁଲଟିଏ ନାହିଁ, ଲୋକମାନେ ଭଲ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି। ତେବେ ଦିଲ୍ଲୀ ଭଳି ଗୁଜରାଟରେ ମଧ୍ୟ ଏକ ନୂଆ ମଡେଲ ଜାରି କରାଯିବ ବୋଲି କେଜରିଓ୍ବାଲ ଦାବି କରିଛନ୍ତି। ଏଥିସହ ୨୦୨୨ ବିଧାନସଭା ନିର୍ବାଚନରେ ଜନତାଙ୍କ ପ୍ରକୃତ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ ବୋଲି କେଜରିଓ୍ବାଲ କହିଛନ୍ତି।

Share