ଅଡୁଆରେ ଅମୀର

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ ଉପରେ କରୋନା କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ, ନିକଟରେ ଗାଜିଆବାଦ ଗସ୍ତ ସମୟରେ ଅମୀର କରୋନା କଟକଣା ମାନି ନାହାନ୍ତି। ଏପରିକି ଲୋନିରେ ପହଞ୍ଚିବା ପରେ ପ୍ରବଳ ଜନସମାଗମ ହୋଇଥିଲା। ଅମୀର ନିଜେ ମଧ୍ୟ ମାସ୍କ ପିନ୍ଧି ନ ଥିଲେ କିମ୍ବା ସାମାଜିକ ଦୂରତା ରକ୍ଷା କରି ନ ଥିଲେ। ନନ୍ଦକିଶୋର ଟ୍ରାନିକା ସିଟି ପୋଲିସ ଷ୍ଟେଶନରେ ଏହି ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସକାଳେ ଅମୀର ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ପାଇଁ ଲୋନିର ଟ୍ରୋନିକା ସିଟିରେ ପହଞ୍ଚିଥିଲେ। ଏହି ସମୟରେ ସେ ସାମାଜିକ ଦୂରତା ଅନୁସରଣ କରି ନ ଥିଲେ। ଏପରିକି ଭିଡ଼ ମଧ୍ୟରେ ଲୋକଙ୍କ ସହ ଫଟୋ ଉଠାଇଥିଲେ। ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଅଭିନେତା କିପରି ନିୟମ ମାନିଲେ ନାହିଁ ସେ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ନନ୍ଦ କିଶୋର।

 

Share