ଶୁଟିଂ ସେଟ୍‌କୁ ଫେରିଲେ ଆମିର

ଅଙ୍କାରା,୧୦।୮: ସାରା ବିଶ୍ୱରେ ଘରେ ଘରେ ଏବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନା ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏହା ବିଶ୍ୱ ଅର୍ଥନୀତିକୁ ଏକ ପ୍ରକାର ଦୋହଲାଇ ଦେଇଛି। ଏହି ଲକ୍‌ଡାଉନ ପ୍ରଭାବରେ ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ଗୋଟିଏ ପଟେ ଦେଶର ସବୁ ଫିଲ୍ମ ହଲ୍‌ ବନ୍ଦ ହୋଇଯିବା ସହ ଏପଟେ ଶୁଟିଂ ଚାଲୁଥିବା ସମସ୍ତ ଫିଲ୍ମର ଶୁଟିଂ ମଧ୍ୟ ବନ୍ଦ ହୋଇଗଲା। କରୋନା ଭାଇରସ ଓ ଏହାର ପ୍ରୋଟକଲ ପାଇଁ ଆମିର ଖାଁଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଢା’ର ଶୁଟିଂକୁ ମଧ୍ୟ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଖୁବ୍‌ ଲମ୍ବା ସମୟର ବ୍ୟବଧାନ ପରେ ଏବେ ଆମିର ଏହି ଫିଲ୍ମର ଶୁଟିଂକୁ ଭାରତରୁ ସିପ୍ଟ କରି ତୁର୍କି ନେଇଯାଇଛନ୍ତି। ଏବେ ସେ ତୁର୍କିରେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରି ସାରିଲେଣି। ଟୁଇଟର ହ୍ୟାଣ୍ଡେଲରେ ଆମିର ନିଜେ ଏ ସମ୍ପର୍କରେ ସୂଚନା ଦେବା ସହ ଶୁଟିଂ ସେଟର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋ ଗୁଡିକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଭଲ ରେସପନ୍ସ ଦେଉଥିବା ଦେଖାଯାଇଛି। ଫିଲ୍ମ ‘ଲାଲ ସିଂ ଚଢା’ ୧୯୯୪ରେ ହଲିଉଡ୍‌ରେ ଆସିଥିବା ଏକ ଫିଲ୍ମର ହିନ୍ଦୀ ରିମେକ। ପୂର୍ବରୁ ଏହାର କିଛି ଶୁଟିଂ ପଞ୍ଜାବ ଓ ଚଣ୍ଡିଗଡ଼ରେ କରାଯାଇଥିଲା। ଏହି ଫିଲ୍ମଚଳିତ ବର୍ଷ ଡିସେମ୍ବରରେ ରିଲିଜ୍‌ ହେବାର ଯୋଜନା ଥିଲା। ହେଲେ ଏହାର ଲେଖକ ଅତୁଲ କୁଲକର୍ନି କହିଛନ୍ତି ଏହି ଫିଲ୍ମ ଆସନ୍ତା ବର୍ଷକୁ ରିଲିଜ୍‌ କରାଯିବ।

Share