ଫିଲ୍ମ ବିବାଦ ମଧ୍ୟରେ ତ୍ରିରଙ୍ଗା ସହ ନଜର ଆସିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ବିଗତ ଦିନରୁ ନିଜ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବହୁ ବାଦ ବିବାଦ ପରେ ଅଗଷ୍ଟ ୧୧ରେ ତାଙ୍କ ଫିଲ୍ମ ସିନେମାହଲ୍‌ରେ ରିଲିଜ୍‌ ହୋଇଛି। ଇତିମଧ୍ୟରେ ଅଭିନେତା ଆମିର ଆଉ ଏକ କାରଣରୁ ବର୍ତ୍ତମାନ ଲାଇମ୍‌ଲାଇଟରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସେ ସମର୍ଥନ ଜଣାଇଛନ୍ତି। ଏହିକ୍ରମରେ ଆମିର ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଆମିରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆମିର ତାଙ୍କ ଝିଅ ଇରା ଖାନଙ୍କ ସହ ଘରର ବାଲକୋନୀରେ ଠିଆ ହୋଇଥିବାର ନଜର ଆସିଛନ୍ତି। ବିଶେଷ କଥା ହେଉଛି ଏହି ଫଟୋରେ ତାଙ୍କ ବାଲକୋନୀରେ ଭାରତୀୟ ତ୍ରିରଙ୍ଗା ପତାକା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଭାଇରାଲ ହେବା ପରେ ଆମିର ପ୍ରଧାନମନ୍ତ୍ରୀଙ୍କ ତ୍ରିରଙ୍ଗା ଅଭିଯାନକୁ ସମର୍ଥନ କରୁଥିବା କୁହାଯାଉଛି। ଯାହାକୁ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରିଛନ୍ତି।

 

Share