Categories: ଜାତୀୟ

ସିଦ୍ଧୁଙ୍କ ଗୁଗ୍‌ଲୀ

ଚଣ୍ଡିଗଡ,୧୩।୭: ପଞ୍ଜାବ କଂଗ୍ରେସରେ ବିବାଦର କାରଣ ହୋଇଥିବା ନବଜୋତ ସିଦ୍ଧୁ ମଙ୍ଗଳବାର ଆମ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି। ସିଦ୍ଧୁ ଟୁଇଟ୍‌ ଯୋଗେ କହିଛନ୍ତି ଯେ, ଆମର ବିରୋଧୀ ଆମ୍‌ ଆଦ୍‌ମୀ ପାର୍ଟି ପଞ୍ଜାବ ପାଇଁ ମୋର ଦୃଷ୍ଟିକୋଣ ଏବଂ କାର୍ଯ୍ୟକୁ ସର୍ବଦା ସ୍ବୀକୃତି ଦେଇଛି। ୨୦୧୭ ପୂର୍ବରୁ ପଞ୍ଜାବରେ ଡ୍ରଗ୍ସ, କୃଷକଙ୍କ ସମସ୍ୟା, ଦୁର୍ନୀତି ହେଉ କିମ୍ବା ବିଜୁଳି ସଙ୍କଟର ବିଷୟରେ ମୁଁ ସ୍ବର ଉତ୍ତୋଳନ କରିଥିଲି। ଆଜି ଯେତେବେଳେ ମୁଁ ପଞ୍ଜାବ ମଡେଲ ଉପସ୍ଥାପନ କରୁଛି ଏହା ସ୍ପଷ୍ଟ ଯେ ସେମାନେ ଜାଣନ୍ତି – ପ୍ରକୃତରେ ପଞ୍ଜାବ ପାଇଁ କିଏ ଲଢୁଛନ୍ତି।
ନବଜୋତ ସିଦ୍ଧୁଙ୍କ ଏହି ଟୁଇଟ ପରେ ସେ ଆମ ଆଦମୀ ପାର୍ଟିରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି। ତେବେ କିଛି ଦିନ ପୂର୍ବରୁ ସିଦ୍ଧୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ୱାଲଙ୍କୁ ଟାର୍ଗେଟ କରିଥିଲେ। ସିଦ୍ଧୁ ଟୁଇଟ କରି କହିଥିଲେ ଯେ, ରାଜ୍ୟକୁ ଦିଲ୍ଲୀ ମଡେଲ ଦରକାର ନାହିଁ, କିନ୍ତୁ ପଞ୍ଜାବ ମଡେଲ ଦରକାର। ନୀତି ଉପରେ କାର୍ଯ୍ୟ କରୁ ନ ଥିବା ରାଜନୀତି କେବଳ ନକାରାତ୍ମକ ପ୍ରଚାର ଏବଂ ଗଣତାନ୍ତ୍ରିକ ଏଜେଣ୍ଡାରୁ ବଞ୍ଚିତ ରାଜନେତାମାନେ କେବଳ ବ୍ୟବସାୟ ପାଇଁ ରାଜନୀତି କରନ୍ତି। ସେଥିପାଇଁ ବିକାଶ ବିନା ରାଜନୀତିର ଅର୍ଥ ସେମାନଙ୍କ ପାଇଁ କିଛି ନୁହେଁ ।

Share