ଅହମ୍ମଦାବାଦ,୩।୯: ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ବିଜୟ ପତାକା ଉଡ଼ାଇବା ପରେ ଏବେ ଆମ୍ ଆଦ୍ମୀ ପାର୍ଟି(ଆପ୍) ଏହି ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛି। କେଜ୍ରିଓ୍ବାଲ କ୍ରମାଗତ ଭାବେ ଗୁଜରାଟ ଗସ୍ତ କରି ବିଭିନ୍ନ ସଭାରେ ଉଦ୍ବୋଧନ ଦେଇ ଭାଜପାକୁ କଟାକ୍ଷ କରୁଛନ୍ତି।
ଦୁଇ ଦିନିଆ ଗୁଜରାଟ ଗସ୍ତର ଶେଷ ଦିନରେ ରାଜକୋଟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେଜ୍ରିଓ୍ବାଲ ଗୁଜରାଟ ନିର୍ବାଚନ ଜିତିବାର ଯୋଜନା ବିଷୟରେ କହିଛନ୍ତି। ତାଙ୍କ ଦଳ କ୍ଷମତାକୁ ଆସିବା ପରେ ଭାଜପା କର୍ମୀମାନେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରିବେ। ତାଙ୍କୁ ଭାଜପାର ନେତା ନୁହନ୍ତି ବରଂ କର୍ମୀ ଆବଶ୍ୟକ। ସେମାନଙ୍କୁ ଭାଙ୍ଗି ଆପ୍କୁ ଆଣିବାକୁ ହେବ।
କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏହାର କର୍ମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଓ ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ମାଗଣା ବିଜୁଳି ପ୍ରଦାନ କରିନାହିଁ। ହେଲେ ଆପ୍ ସେମାନଙ୍କର ଯତ୍ନ ନେବ। ଯେତେବେଳ ଦଳ ସରକାର ଗଠନ କରିବ ସେତେବେଳେ ମାଗଣା ବିଜୁଳି ପ୍ରତି ଘରେ ଲାଗୁ ହେବ। ପିଲାମାନଙ୍କ ଲାଗି ଭଲ ବିଦ୍ୟାଳୟର ନିର୍ମାଣ କରାଯିବ, ଯେଉଁଠାରେ ସେମାନେ ମାଗଣା ଶିକ୍ଷା ପାଇବେ। ୨୭ ବର୍ଷ ଶାସନ ପରେ ଭାଜପାରେ ରହିବା ଏବଂ ପୁଣିଥରେ ଦଳର ବିଜୟ ସୁନିଶ୍ଚିତ କରିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।