Categories: ଜାତୀୟ

ଏଏପି କାଉନ୍‌ସିଲରଙ୍କୁ ହତ୍ୟା

ଚଣ୍ଡିଗଡ,୧।୮: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କାଉନ୍‌ସିଲର ମହମ୍ମଦ ଆକବରଙ୍କୁ ହତ୍ୟା କରାଯାଇଛି। ସେ ଜିମ୍‌ରେ ଥିବାବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ। ଘଟଣା ପରେ ବାଇକରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ସୂଚନାଯୋଗ୍ୟ,ପଞ୍ଜାବର ମାଲେରକୋଟଲା ଜିଲାରେ ଥିବା ଏକ ଜିମ୍‌କୁ ମହମ୍ମଦ ଯାଇଥିଲେ। ସେ ଜିମ୍‌ରେ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ମାଲେରକୋଟଲା ସିନିୟର ପୋଲିସ ଅଧୀକ୍ଷକ ଅବନୀତ୍‌ କୌର ସିଦ୍ଧୁ କହିଛନ୍ତି, ଜଣେ ବ୍ୟକ୍ତି ଜିମ ଭିତରକୁ ପ୍ରବେଶ କରି ଆକବରଙ୍କୁ ଗୁଳି କରିଥିଲେ। ତାଙ୍କୁ ନିକଟରୁ ଗୁଳି କରାଯାଇଛି।
ଏହି ଘଟଣା ପରେ ପୋଲିସ ଆକବରଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାଟି ସେଠାରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ଆକ୍ରମଣକାରୀଙ୍କୁ ଖୋଜିବା ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ବ୍ୟକ୍ତିଗତ ଶତ୍ରୁତାରୁ ଘଟିଥିବା କୁହାଯାଉଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଏ ବାବଦରେ ଏକ ମାମଲା ରୁଜୁ ହୋଇଛି। ପ୍ରାୟ ଦୁଇ ବର୍ଷ ପୂର୍ବେ ମହମ୍ମଦ ଆକବରଙ୍କ ଭାଇ ମହମ୍ମଦ ଅନୱାରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

Share