Categories: ଜାତୀୟ

ଭାଜପା-ଇଡି ବିରୋଧରେ ଏଏପି ଆଣିଲା ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୧୧।୧୦: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଇଡି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି। ବୁଧବାର ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଏକପି ବିଧାୟକ ଦିଲୀପ ପାଣ୍ଡେ ଏହି ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଅକ୍ଟୋବର ୧୦ରେ ସଞ୍ଜୟ ସିଂଙ୍କ କୋର୍ଟରେ ହାଜର ହେବା ପରେ ଯେଉଁ ସତ୍ୟ ପ୍ରକାଶ ପାଇଛି ତାହା ମୋଦି ଏବଂ ଭାଜପା ରାଜନୀତିର ପର୍ଦ୍ଦାଫାଶ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଭାଜପା ନିର୍ଦ୍ଦେଶରେ ସଞ୍ଜୟ ସିଂଙ୍କୁ ହତ୍ୟା କରିବାକୁ ଇଡି ଚେଷ୍ଟା କରୁଛି। ସଞ୍ଜୟ ସିଂଙ୍କୁ ହତ୍ୟା କରାଯିବାକୁ ଷଡଯନ୍ତ୍ର ରଚାଯାଇଛି କି ନାହିଁ ସେମାନେ ଜବାବ ଦେବା ଉଚିତ୍‌।
ଏଏପି ନେତା ଆହୁରି କହିଛନ୍ତି, ଦୁଇଥର ଇଡି ହେପାଜତରେ ସଞ୍ଜୟ ସିଂଙ୍କୁ ଅଜ୍ଞାତ ସ୍ଥାନକୁ ନେବା ପାଇଁ ଉଦ୍ୟମ କରାଯାଇଥିଲା। ତାଙ୍କୁ କୁଆଡେ ନିଆଯାଉଛି ଏବଂ ଏନେଇ କୋର୍ଟକୁ ସୂଚନା ଦିଆଯାଇଛି କି ନାହିଁ ସଞ୍ଚୟ ସିଂ ପଚାରିବାରୁ ଏହା ଉପରୁ କୁହାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି।
ଦିଲୀପ ପାଣ୍ଡେ ପ୍ରଶ୍ନ କରିଛନ୍ତି, ଇଡି ଉପରେ କିଏ ବସିଛି, କିଏ ଏପରି ନିର୍ଦ୍ଦେଶ ଦେଉଛି? ଭାଜପା ଏବଂ ଇଡି ଏହାର ଜବାବ ଦେବାକୁ ପଡିବ। ଭାଜପା ଏଏପି ଏମ୍‌ପି ଏବଂ ବିଧାୟକଙ୍କୁ କିଣି ପାରିଲା ନାହିଁ, ଜେଲ ପଠାଇବା ପରେ ମଧ୍ୟ ସେମାନଙ୍କ ମନୋବଳ ଭାଙ୍ଗି ପାରିଲା ନାହିଁ, ସେତେବେଳେ ସେମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଚାଲିଛି। ଏହାପୂର୍ବରୁ ମଙ୍ଗଳବାର ସଞ୍ଜୟ ସିଂଙ୍କୁ କୋର୍ଟରେ ହାଜର କରାଯାଇଥିଲା।

Share