ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍‌: ଓଡ଼ିଆ ଉଦ୍ୟୋଗୀଙ୍କ କୃତିତ୍ୱ

ଲଣ୍ଡନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି ରହିଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଆପ୍‌ ବିକଶିତ କରାଯାଇଛି। ଏକ୍ସପର୍ଟନେଷ୍ଟ କମ୍ପାନୀ ପକ୍ଷରୁ ଏହି ଆପ୍‌ ତିଆରି କରାଯାଇଛି। ଏହାର ପ୍ରତିଷ୍ଠାତା ଏବଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେଉଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଅରୁଣ କର। ଉଦ୍ୟୋଗୀ ଅରୁଣ ଏବେ ଏହି ଆପ୍‌ ନେଇ ପୃଥିବୀରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଆପ୍‌କୁ ବିସିପି ବିଚ୍‌ ଚେକ୍‌ ଆପ୍‌ ଭାବେ ନାମିତ କରାଯାଇଛି। ସାଧାରଣତଃ ଜୁନ୍‌ଠାରୁ ବିଟ୍ରେନ୍‌ରେ ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଥାଏ। ବହୁ ପର୍ଯ୍ୟଟକ ଏହି ସମୟରେ ବୋର୍ନମାଉଥ୍‌, ଖ୍ରୀଷ୍ଟଚର୍ଚ୍ଚ ଏବଂ ପୋଲେ ଟୁରିଜିମ୍‌ରେ ଜମା ହୋଇଥାନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ପାଳନ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆପ୍‌କୁ ଏହି ୩ ଅଞ୍ଚଳରେ ଶୁଭାରମ୍ଭ କରାଯାଇଛି। ୟୁଜର ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ଏହାକୁ ସହଜରେ ଡାଉନଲୋଡ୍‌ କରିପାରିବେ। ଆପ୍‌ ଉପରେ କ୍ଲିକ୍‌ କଲେ ଏହା ମ୍ୟାପ୍‌ ସହାୟତାରେ କେଉଁ ସମୁଦ୍ର କୂଳରେ ଜନଗହଳି ଅଧିକ ରହିଛି ସେ ସମ୍ପର୍କରେ ତତ୍‌କ୍ଷଣାତ୍‌ ସୂଚନା ଦେବାକୁ ସକ୍ଷମ ହୋଇ ପାରୁଛି। ସିଫ୍ରଣ୍ଟ୍‌ ରେଞ୍ଜର, ସିସିଟିଭି ଏବଂ କିଛି ଫୁଟ୍‌ଫଲ୍‌ କାଉଣ୍ଟରରୁ ଏହି ଆପ୍‌ ଡାଟା ସଂଗ୍ରହ କରିଥାଏ ବୋଲି ବିସିପି କାଉନସିଲ୍‌ ଲିଡର ଭିକ୍କି ସ୍ଲେଡ୍‌ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅରୁଣ ଭାରତୀୟ ସେନାରୁ ଅବସର ନେଇଛନ୍ତି। ସେ ଆଇଆଇଏମ୍‌ ବେଙ୍ଗାଲୁରୁର ଜଣେ ପୂର୍ବତନ ଛାତ୍ର। ଏହା ସହିତ ସେ ଫୋର୍ବସ୍‌ ବିଜନେସ୍‌ କାଉନସିଲ୍‌ର ଜଣେ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

Share