Categories: ଜାତୀୟ

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟ ସମ୍ପର୍କକୁ ନେଇ ଏକ ବଡ଼ ଖବର ଆସିଛି। ସୂଚନାନୁସାରେ,  ଆପ୍‌ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ପର୍କରେ ଆଲୋଚନା ଚାଲିଥିବା ଜଣାପଡିଛି। ଆସନ୍ତାକାଲି ସୁଦ୍ଧା ଏହି ମେଣ୍ଟ ଘୋଷଣା କରାଯାଇପାରିବ ବୋଲି କୁହାଯାଉଛି।

ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ରାଘବ ଚଢ଼ା ଏବଂ ଦୀପକ ବାବରିଆଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କୁହାଯାଇଛି ଯେ, ଏହି ବୈଠକ ଏକ ସକାରାତ୍ମକ ହୋଇଥିଲା। ଆମ୍‌ ଆଦ୍‌ମୀ ପାର୍ଟି ପ୍ରାୟ ପାଞ୍ଚଟି ସିଟ୍‌ ଉପରେ ସହମତ ହୋଇଛି, କିନ୍ତୁ ନିଜ ପସନ୍ଦର ସିଟ୍‌ ଉପରେ ମଧ୍ୟ ଚାପ ପକାଉଛି।

ସୂତ୍ରରୁ ପ୍ରକାଶ ଯେ, ଗୋଟିଏ ପଟେ ଆମ୍‌ ଆଦ୍‌ମୀ ପାର୍ଟି  ମିଳିତ ମେଣ୍ଟ ଚାହୁଁଛି, ଅନ୍ୟ ପଟେ ରାହୁଲ ଗାନ୍ଧୀଙ୍କ ପଦକ୍ଷେପକୁ ଦୃଷ୍ଟିରେ ରଖି କଂଗ୍ରେସ ନେତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ଏଭଳି ପରିସ୍ଥିତିରେ ଖୁବ୍‌ ଶୀଘ୍ର ମିଳିତ ମେଣ୍ଟ ଘୋଷଣା କରାଯିବ ବୋଲି ବିଶ୍ୱାସ କରାଯାଉଛି।

କହିରଖୁଛୁ, ଏହା ପୂର୍ବରୁ ହରିୟାଣା କଂଗ୍ରେସର ନେତା, ବରିଷ୍ଠ କଂଗ୍ରେସ ନେତା ତଥା ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ସହ ଏକ ମେଣ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ସେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ନେତାଙ୍କ ନିକଟରେ ଛାଡ଼ି ଦେଇଛନ୍ତି। ସେବେଠାରୁ ଆଲୋଚନା ଚାଲିଛି ଯେ, ଦୁଇ ଦଳ ମଧ୍ୟରେ ଏକ ମେଣ୍ଟ ହୋଇପାରେ। ତେବେ ସମୟକ୍ର ମେ ଏହି ଆସନକୁ ନେଇ ବିବାଦ ଲାଗି ରହିଛି। ଏବେ ଦେଖିବାକୁ ବାକି ରହିଲା ଉଭୟଙ୍କ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରୁଛି କି ନାହିଁ।

ନିର୍ବାଚନ ଆୟୋଗଙ୍କ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୧ ପରିବର୍ତ୍ତେ ଅକ୍ଟୋବର ୫ରେ ଭୋଟ୍‌ ଗ୍ରହଣ କରାଯିବ। ଏହା ସହିତ ଭୋଟର ଗଣନା କରିବାର ତାରିଖ ମଧ୍ୟ ବଦଳି ଯାଇଛି। ବର୍ତ୍ତମାନ ଗଣନା ଅକ୍ଟୋବର ୪ ପରିବର୍ତ୍ତେ ଅକ୍ଟୋବର ୮ରେ ହେବ।

Share