କରୋନା ଆକ୍ରାନ୍ତ ସତ୍ତ୍ୱେ ହାଥରସ୍‌ ଯାଇଥିଲେ ଏହି ଦଳର ବିଧାୟକ

ହାଥରସ୍‌, ୭।୧୦: ବହୁଚର୍ଚ୍ଚିତ ହାଥରସ୍‌ କେସ୍‌ରେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ ପ୍ରତିନିଧି ମଣ୍ଡଳ ଯାଇଥିଲା। ଯେଉଁଥିରେ ବିଧାୟକ କୁଲଦୀପ କୁମାର ସାମିଲ ଥିଲେ। ତେବେ କରୋନା ଆକ୍ରାନ୍ତ ସତ୍ତ୍ୱେ କୁଲଦୀପ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇଥିବାରୁ ତାଙ୍କ ନାମରେ ଏବେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ପୋଲିସ ପକ୍ଷରୁ କୁହାଯାଇଛି, ମହାମାରୀ ଆକ୍ଟ ନିୟମ ଅନୁଯାୟୀ, ଆପ୍‌ ବିଧାୟକ କୁଲଦୀପଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେପ୍ଟେମ୍ବର ୨୯ରେ କରୋନା ଆକ୍ରାନ୍ତ ହୋଇଥିବା କୁଲଦୀପ୍‌ ଘୋଷଣା କରିଥିଲେ। ଏହାସତ୍ତ୍ୱେ ଆଇସୋଲେଶନ ନିୟମ ଭଙ୍ଗ କରି ସେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ହାଥରସ୍‌ ଯାଇଥିଲେ। ଏହି ଗସ୍ତର କିଛି ଭିଡିଓ କୁଲଦୀପ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅନେକ ଲୋକ ତାଙ୍କ ସହିତ ମିଶିଛନ୍ତି। କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗି ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଇଥିବାରୁ ତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି।

Share