ଓ୍ବକ୍‌ଫ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୫।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ଶୁକ୍ରବାର କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ୍‌ ବିବାଦୀୟ ବିଲ୍‌କୁ ବିରୋଧ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏନ୍‌ଜିଓ ଆସୋସିଏଶନ ଫର୍‌ ଦି ପ୍ରୋଟେକ୍ସନ ଅଫ୍‌ ସିଭିଲ୍‌ ରାଇଟ୍ସ (ଏପିସିଆର୍‌) ମଧ୍ୟ ବିଲ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛି।

୧୯୯୫ର ଓ୍ବକ୍‌ଫ ସମ୍ପତ୍ତି ପରିଚାଳନା ଆଇନରେ ସଂଶୋଧନ ପାଇଁ ଅଣାଯାଇଥିବା ବିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରସ୍ତାବିତ ଆଇନ ମୁସଲମାନଙ୍କ ପ୍ରତି ପକ୍ଷପାତ ଏବଂ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ସରକାରଙ୍କ ହସ୍ତକ୍ଷେପ ଦ୍ୱାରା ଧର୍ମୀୟ ଏବଂ ଦାତବ୍ୟ ଅନୁଷ୍ଠାନ ପରିଚାଳନାରେ ସଂଖ୍ୟାଲଘୁଙ୍କ ଅଧିକାର ଦୁର୍ବଳ ହେବ ବୋଲି ଆପ୍‌ ବିଧାୟକ ପିଟିଶନ୍‌ରେ ଦର୍ଶାଇଛନ୍ତି। ଉକ୍ତ ବିଲ୍‌ ସମ୍ବିଧାନର ଅନୁଚ୍ଛେଦ ୧୪, ୨୫, ୨୬ ଏବଂ ୩୦୦ଏ’ର ସିଧାସଳଖ ଉଲ୍ଲଂଘନ କରିବା ସହ ପ୍ରସ୍ତାବନା ମୂଲ୍ୟବୋଧର ଉଲ୍ଲଂଘନ ବୋଲି ଏନ୍‌ଜିଓ କହିଛି। ଏନ୍‌ଜିଓ ପକ୍ଷରୁ ଆଦିଲ ଅହମଦ ଉକ୍ତ ପିଟିଶନ ଦାଏର କରିଛନ୍ତି।