ବେଙ୍ଗାଲୁରୁ,୬।୪: ସରକାରୀ ସ୍ତରରେ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ଯୋଗୁ ଅରବିନ୍ଦ କେଜ୍ରିିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର କର୍ନାଟକ ହାଇକୋର୍ଟରେ ପହଞ୍ଚିଛି। ଏଏପି କର୍ନାଟକର ସଂଯୋଜକ ପୃଥ୍ବୀ ରେଡ୍ଡୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି। ଆବେଦନରେ କୁହାଯାଇଛି ଯେ, ଜାତୀୟ ଦଳ ହେବା ପାଇଁ ଏଏପି ସମସ୍ତ ସର୍ତ୍ତ ପୂରଣ କରିଛି, କିନ୍ତୁ ଏହା ସତ୍ତ୍ୱେ ମାନ୍ୟତା ପାଇବାରେ ବିଳମ୍ବ ହେଉଛି। କର୍ନାଟକ ବିଧାନସଭାରେ ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଘୋଷଣା କରିଛି। ଏଭଳି ପରିସ୍ଥିତିରେ ଯଦି ଦଳକୁ ନ୍ୟାସନାଲ ପାର୍ଟିର ମାନ୍ୟତା ମିଳିଯାଏ ତେବେ ଏହା ନିର୍ବାଚନରେ ବହୁତ ସାହାଯ୍ୟ କରିବ ବୋଲି ପୃଥ୍ବୀ ରେଡ୍ଡୀ କହିଛନ୍ତି।