
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟି(ଆପ୍)ର ପରାଜୟ ପରେ ଦଳ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦଳ ପକ୍ଷରୁ କିଛି ରାଜ୍ୟର ପ୍ରଭାବୀ ଏବଂ ମୁଖ୍ୟ ପଦବୀ ଅଦଳ ବଦଳ କରାଯାଇଛି। ଆମ୍ ଆଦମୀ ପାର୍ଟିର ଶୁକ୍ରବାର ପିଏସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୪ ରାଜ୍ୟର ପ୍ରଭାରୀ ଓ ଦୁଇ ରାଜ୍ୟର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଦଳର ବରିଷ୍ଠ ନେତା ଗୋପାଳ ରାୟଙ୍କୁ ଗୁଜରାଟ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।
ମନୀଷ ସିସୋଦିଆଙ୍କୁ ପଞ୍ଜାବର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଗୁଜରାଟ ପାଇଁ ଗୋପାଳ ରାୟଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୁର୍ଗେଶ ପାଠକଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଗୋଆ ପାଇଁ ପଙ୍କଜ ଗୁପ୍ତାଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଦୀପକ ସିଂଗଲ, ଆଭାଷ ଚନ୍ଦେଲା ଓ ଅଂକୁଶ ନାରଙ୍ଗଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଛତିଶଗଡ଼ ପାଇଁ ସନ୍ଦୀପ ପାଠକଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ମେହରାଜ ମଲିକଙ୍କୁ ଜମ୍ମୁ-କଶ୍ମୀରର ଅଧ୍ୟକ୍ଷ ପଦ ମିଳିଛି।