Categories: ଜାତୀୟ

ଏଏପି ଏମ୍‌ପି ସଞ୍ଜୟ ସିଂ ଗିରଫ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଇଡି ଗିରଫ କରିଥିଲା।
ଇଡି ପୂର୍ବରୁ ତାଙ୍କ କର୍ମଚାରୀ ଏବଂ ଏହି ମାମଲାରେ ତାଙ୍କ ସହ ଜଡିତ ଅନ୍ୟ ଲୋକଙ୍କୁ ପଚରାଉଚରା କରିଥିଲା। ସଞ୍ଜୟ ସିଂଙ୍କ ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ବିରୋଧ କରୁଛି। ସୂଚନାନୁସାରେ, କେନ୍ଦ୍ରୀୟ ଏଜେନ୍ସି ସଞ୍ଜୟ ସିଂଙ୍କୁ ଗୁରୁବାର କୋର୍ଟରେ ଉପସ୍ଥାପନ କରିବ।
ଇଡି ଏହାର ଚାର୍ଜସିଟରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଭାବେ ନାମିତ ହୋଇଥିବା ଦିଲ୍ଲୀ ବ୍ୟବସାୟୀ ଦୀନେଶ ଆରୋରାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଦୀନେଶ ଆରୋରା ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଛନ୍ତି। ଅଭିଯୋଗ ହୋଇଛି ଯେ, ଆରୋରା ସଞ୍ଜୟ ସିଂଙ୍କ ଉପସ୍ଥିତିରେ ତାଙ୍କ ବାସଭବନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସହ ଏକ ବୈଠକ କରିଥିଲେ। ଏକ କାର୍ଯ୍ୟକ୍ରମ ସମୟରେ ସେ ସଞ୍ଜୟ ସିଂଙ୍କୁ ଭେଟିଥିଲେ ବୋଲି ଆରୋରା କହିଛନ୍ତି। ସଞ୍ଜୟ ସିଂଙ୍କୁ ଭେଟିବା ପରେ ସେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ। ଦିଲ୍ଲୀ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Share