ଦୁବାଇ, ୧୮।୧୦: ଚଳିତ ଆଇପିଏଲ୍ର ଶନିବାର ଖେଳାଯାଇଥିବା ୩୩ତମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୭ ଉଇକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଆରୋନ୍ ଫିଞ୍ଚ୍ ଇ-ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି। ମ୍ୟାଚ୍ର ଅନ୍ତିମ ଓଭରରେ ବିଜୟ ଲାଗି ବାଙ୍ଗାଲୋରକୁ ୧୦ ରନ୍ ଆବଶ୍ୟକ ହେଉଥିଲା। ଏହି ସମୟରେ କ୍ୟାମେରା ବାଙ୍ଗାଲୋର ଡ୍ରେସିଂ ରୁମ୍ ଆଡ଼କୁ ବୁଲିଥିଲା ଏବଂ ଖେଳାଳିଙ୍କ ଚେହେରାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଫିଞ୍ଚ୍ ଡ୍ରେସିଂ ରୁମ୍ ଭିତରେ ଇ-ସିଗାରେଟ୍ ଟାଣୁ ଥିବାରୁ ନଜର ଆସିଥିଲେ।
ଘଟଣାର ଭିଡିଓ ପରେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଲୋକ ନାନା ପ୍ରତିକ୍ରିୟା ଦେଇଛନ୍ତି। ଲୋକମାନେ ଅଧିନାୟକ ବିରାଟ କୋହଲିଙ୍କଠାରୁ ଏହାର ଜବାବ ମାଗୁଛନ୍ତି। ସୋସିଆଲ ମିଡିଆରେ ଜଣେ ୟୁଜର କହିଛନ୍ତି, ଡ୍ରେସିଂ ରୁମରେ ଇ-ସିଗାରେଟ୍ ଟାଣିବା ଗ୍ରହଣୀୟ କି? କ’ଣ କହୁଛନ୍ତି ଆରୋନ୍ ଫିଞ୍ଚ୍? ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲେର ପାଖରେ ଏନେଇ କିଛି କହିବାର ଅଛି? ଏଠାରେ ଉଲ୍ଲେଖଯୋଗ୍ୟ, ଫିଞ୍ଚ ସିଗାରେଟ୍ ଟାଣୁଥିବାବେଳେ କୋହଲି ତାଙ୍କଠାରୁ ଟିକେ ଆଗରେ ଠିଆ ହୋଇଥିଲେ।