Advertisement

ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ

କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍‌। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ ମଙ୍ଗଳବାର ଏହି ଅନୁଭବି ବୋଲରଙ୍କ ସମର୍ଥନ କରି ଏବେ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।

ସୀମିତ ଓଭରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବୋଲିଂ କରିବାକୁ ଆସୁଥିବା ଷ୍ଟାର୍କ ଏବେ ଖରାପ ପ୍ରଦର୍ଶନ କରୁଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ୧୮ ଓଭର ବୋଲିଂ କରି ୧୪୭ ରନ୍‌ ଦେଇଥିଲେ। ଦଳ ଦୁଇଟି ଯାକ ମ୍ୟାଚ୍‌ରେ ଜିତିଥିଲେ ହେଁ ଷ୍ଟାର୍କଙ୍କ ଏଭଳି ରନ୍‌ ଦେବା ଟିମ୍‌ ପାଇଁ ଚିନ୍ତା ବଢ଼ାଇଛି। ଫିଞ୍ଚ ମଙ୍ଗଳବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁନାହାନ୍ତି। ହେଲେ ତାଙ୍କ ସ୍ତର ବହୁତ ଭଲ ବୋଲି ବୁଝିବାକୁ ହେବ। ଗତ ଆଠରୁ ନଅ ବର୍ଷ ଧରି ସେ ନିଜର ଶ୍ରେଷ୍ଠତା ବଜାୟ ରଖିଛନ୍ତି। ଆଗାମୀ ମ୍ୟାଚ୍‌ରେ ତାଙ୍କୁ କିଭଳି ବୋଲିଂ ପାଇଁ ପଠାଯିବ ସେ ନେଇ ରଣନୀତି ପ୍ରସ୍ତୁତ ହେବ। ହେଲେ ଡରିବାର କୌଣସି କାରଣ ନାହିଁ। ଗତବର୍ଷ ବିଶ୍ୱକପ୍‌ଠାରୁ ତାଙ୍କ ଲୟରେ ସେ ନାହାନ୍ତି ବୋଲି ଫିଞ୍ଚ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share