Categories: ଖେଳ

ଅଷ୍ଟ୍ରେଲିଆକୁ ଆକ୍ରମଣାତ୍ମକ ଖେଳିବାର ଥିଲା: ଫିଞ୍ଚ୍‌

ଚେନ୍ନାଇ, ୧୦ା୧୦ : ଭାରତର ବିଶ୍ୱ ଶ୍ରେଣୀୟ ସ୍ପିନରଙ୍କ ବିପକ୍ଷରେ ଅଷ୍ଟ୍ରେଲୀୟ ବ୍ୟାଟରମାନଙ୍କ ଆକ୍ରମଣାତ୍ମକ ଖେଳର ଅଭାବ ପରିଲକ୍ଷିତ ହୋଇଥିଲା। ଏହି କାରଣରୁ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଲା ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ୍‌ ପ୍ରକାଶ କରିଛନ୍ତି। ରବିବାର ସ୍ପିନକୁ ସୁହାଉଥିବା ପିଚ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ସ୍ପିନରମାନେ ୬ ଉଇକେଟ ଅକ୍ତିଆର କରିବାରୁ ଅଷ୍ଟ୍ରେଲିଆ ସ୍କୋର ୧୯୯ରେ ସୀମିତ ହୋଇଯାଇଥିଲା। ଫଳରେ ଦଳ ୬ ଉଇକେଟରେ ମ୍ୟାଚ ହାରିଯାଇଥିଲା। ଫିଞ୍ଚ କହିଛନ୍ତି, ଅଷ୍ଟ୍ରେଲୀୟମାନଙ୍କୁ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ସେମାନେ ଅଧିକ ସତର୍କତା ଅବଲମ୍ବନ କରି ଖେଳିବାରୁ ଭାରତୀୟ ସ୍ପିନରମାନେ ଆଧିପତ୍ୟ ବିସ୍ତାର କରିବାକୁ ସୁଯୋଗ ପାଇଲେ। ସ୍ପିନକୁ ସୁହାଉଥିବା ଏକ ପିଚ୍‌ରେ ଯଦି ଜାଡେଜା, କୁଲଦୀପ ଓ ଅଶ୍ୱିନଙ୍କ ଭଳି ଦକ୍ଷ ଓ ଚତୁର ବୋଲରଙ୍କୁ ଯଦି ସେମାନଙ୍କ ଇଚ୍ଛା ଅନୁସାରେ ବୋଲିଂ କରିବା ଲାଗି ସୁଯୋଗ ଦିଆଯାଏ ତେବେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠିବା କଷ୍ଟକର ହୋଇପଡ଼ିବ। ଜାଡେଜା ଅଷ୍ଟ୍ରେଲିଆକୁ ଅନେକ ଥର ଅଡୁଆରେ ପକାଇଛନ୍ତି। ରବିବାର ଅଷ୍ଟ୍ରେଲିଆ ମାତ୍ର ୨ ରନରେ ଭାରତର ୩ ଉଇକେଟ ପତନ ଘଟାଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା ବୋଲି ମନେ ହୋଇଥିଲା। ମାତ୍ର ବିରାଟ କୋହଲି (୮୫ରନ)ଙ୍କ କ୍ୟାଚ ହାତଛଡ଼ା କରିବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କୋହଲି ମାତ୍ର ୧୨ ରନ କରି ଖେଳୁଥିବା ବେଳେ ପେସ୍‌ ବୋଲର ଜୋସ୍‌ ହାଜେଲଉଡ୍‌ଙ୍କ ବଲ୍‌ରେ ମିଚେଲ ମାର୍ଶଙ୍କ ଦ୍ୱାରା କ୍ୟାଚ୍‌ଆଉଟ ସୁଯୋଗ ସୃଷ୍ଟି ହୋଇଥିଲା। ଅଷ୍ଟ୍ରେଲିଆ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଥିଲା। ବିରାଟଙ୍କ ଉଇକେଟ ନେଇ ପାରିଥିଲେ ମ୍ୟାଚର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା।

Share