ଶୁଟିଂ ସମୟରେ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ହୃଦ୍‌ଘାତ

ସୁପର୍‌ହିଟ ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ଆଶିକ୍‌’ର ପ୍ରସିଦ୍ଧ ଅଭିନେତା ରାହୁଲ ରାୟଙ୍କୁ ହୃଦ୍‌ଘାତ ହୋଇଛି। ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାହୁଲ ଶ୍ରୀନଗରରେ ଫିଲ୍ମ ‘କାରଗିଲ୍‌’ ପାଇଁ ଶୁଟିଂ କରୁଥିବା ସମୟରେ ଏହି ଘଟଣା ଘଟିଛି। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ଯେ, ରାହୁଲଙ୍କ ମସ୍ତିଷ୍କର ବାମ ଭାଗରେ ରକ୍ତ ଜମାଟ ବାନ୍ଧିଛି। ସୁସ୍ଥ ହେବାକୁ ସମୟ ଲାଗିବ। ସୋସିଆଲ ମିଡିଆରେ ରାହୁଲଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଫିଲ୍ମଟି ବହୁତ ଉଚ୍ଚରେ ଶୁଟିଂ କରାଯାଉଥିଲା। ଉଚ୍ଚତା ଯୋଗୁ ଅମ୍ଳଜାନର ଅଭାବ ଦେଖାଦେଇଥିଲା ଏବଂ ଶୁଟିଂ ସେଟ୍‌ର ଅନ୍ୟ ସଦସ୍ୟମାନେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ। ୧୯୯୦ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଆଶିକ୍‌’ରେ ରାହୁଲ ନିଜର ବଲିଉଡରେ ଡେବ୍ୟୁ କରିଥିଲେ। ରାହୁଲ ଏହି ଚଳଚ୍ଚିତ୍ରରେ ବହୁ ଲୋକପ୍ରିୟତା ହାସଲ କରିଥିଲେ। ଏହା ସତ୍ତ୍ୱେ ସେ ବଲିଉଡରେ ନିଜର କଳା ଦେଖାଇପାରି ନ ଥିଲେ।

Share