Categories: ଖେଳ

ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଲେ ଏବି ଡି ଭିଲିୟର୍ସ

ଚେନ୍ନାଇ, ୧୯।୪: ଟି -୨୦ ବିଶ୍ୱକପ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଚାହୁଁଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡିଭିଲିୟର୍ସ। ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷରେ ବିଜୟ ପରେ ଡି ଭିଲିୟର୍ସ କହିଛନ୍ତି ଯେ, ଟି-୨୦ ବିଶ୍ୱକପ୍‌ରେ ଯଦି ମୁଁ ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇପାରିବି ତେବେ ଏହା ଚମତ୍କାର ହେବ। ୩୭ ବର୍ଷୀୟ ଏବି ଡି ଭିଲିୟର୍ସ କହିଛନ୍ତି ଯେ ସେ ଆଇପିଏଲର ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା କୋଚ ମାର୍କ ବାଉଚରଙ୍କ ସହ କଥା ହେବେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ଏବି କେକେଆର ବିପକ୍ଷରେ ଅପରାଜିତ ୭୬ ସ୍କୋର କରିଥିଲେ।
ବାଉଚର ମଧ୍ୟ ଡି ଭିଲିୟର୍ସଙ୍କ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ ବିଷୟରେ ସୂଚିତ କରିଛନ୍ତି। ସେ କହିଛନ୍ତି ଆଇପିଏଲ ପୂର୍ବରୁ ଡି ଭିଲିୟର୍ସଙ୍କ ସହ କଥା ହୋଇଥିଲେ। ଡି ଭିଲିୟର୍ସ ପ୍ରମାଣ କରିବାକୁ ଚାହାଁନ୍ତି ଯେ ସେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ରିକେଟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରବାର ଲକ୍ଷ୍ୟ ରଖିଛନ୍ତି। ସୂଚନାଯୋଗ୍ୟ,ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ।
ଡି ଭିଲିୟର୍ସ ମେ ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେ ଦକ୍ଷିଣ ଆଫ୍ରିକା ପାଇଁ ୧୧୪ ଟେଷ୍ଟ, ୨୨୮ ଟି ଏକଦିବସୀୟ ଏବଂ ୭୮ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଆଇପିଏଲରେ ଏବି ଡି ଭିଲିୟର୍ସଙ୍କ ପ୍ରଦର୍ଶନ ବହୁତ ଭଲ।

Share