Categories: ଖେଳ

ବିଶ୍ୱକପ୍‌ ପରେ ଦିନିକିଆ, ଟି-୨୦ରୁ ସନ୍ୟାସ ନେବେ କୋହଲି!

ନୂଆଦିଲ୍ଲୀ,୨୬।୯: ନିକଟରେ ଏସିଆ କପରେ ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଏକ ଚମତ୍କାର ଶତକ ହାସଲ କରିଥିଲେ। ହେଲେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଖେଳୁନାହାଁନ୍ତି। ତେବେ ଭାରତୀୟ ଦଳ ଏବଂ ବିରାଟ କୋହଲିଙ୍କ ନଜର ୨୦୨୩ ଦିନିକିଆ ବିଶ୍ୱକପ୍‌ ଉପରେ ରହିଛି। ଏହି ସମୟରେ ଆଇପିଏଲରେ ବିରାଟ କୋହଲିଙ୍କ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡିଭିଲିୟର୍ସ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏବି ଡିଭିଲିୟର୍ସ ବିଶ୍ୱାସ କରନ୍ତି ଯେ ବିଶ୍ୱକପ୍‌ ୨୦୨୩ ପରେ ବିରାଟ କୋହଲି ଦିନିକିଆ ଏବଂ ଟି-୨୦ ଫର୍ମାଟକୁ ବିଦାୟ ଦେବେ।

ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଏହା ପରେ ଆଗାମୀ ଦିନିକିଆ ବିଶ୍ୱକପ୍‌ ୨୦୨୭ରେ ଦକ୍ଷିଣ ଆଫ୍ରିକା ମାଟିରେ ଖେଳାଯିବ। ଆଗାମୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ବିରାଟ କୋହଲି ଖେଳିବେ କି ନାହିଁ ତାହା କଷ୍ଟସାଧ୍ୟ। ସେ କହିଛନ୍ତି , ବିଶ୍ୱକପ୍‌ ୨୦୨୭ ପାଇଁ ବହୁତ ସମୟ ବାକି ଅଛି। ଯଦି ଆପଣ ବିରାଟ କୋହଲିଙ୍କୁ ପଚାରନ୍ତି, ତେବେ ସେ କହିବେ ଯେ ବର୍ତ୍ତମାନ ବିଶ୍ୱକପ୍‌ ୨୦୨୩ ଉପରେ ଧ୍ୟାନ ରହିଛି। ସେ ଏହା ମଧ୍ୟ କହିଛନ୍ତି, ଯଦି ଟିମ ଇଣ୍ଡିଆ ବିଶ୍ୱକପ୍‌ ଜିତେ ତେବେ ବିରାଟ କୋହଲିଙ୍କ ପାଇଁ ଏହାଠାରୁ ଭଲ କ’ଣ ହେବ । ଏହା ବିରାଟ କୋହଲିଙ୍କ ପାଇଁ ଏକ ବଡ଼ ଉପହାର ହେବ।

ଏବି ଡିଭିଲିୟର୍ସ କହିଛନ୍ତି, ଏହି ବିଶ୍ୱକପ୍‌ ପରେ ବିରାଟ କୋହଲି ବୋଧହୁଏ ଦିନିକିଆ ଏବଂ ଟି -୨୦ ଫର୍ମାଟକୁ ବିଦାୟ ଦେଇପାରନ୍ତି। ତେବେ ବିରାଟ କୋହଲି ଆସନ୍ତା କିଛି ବର୍ଷ ପାଇଁ ଟେଷ୍ଟ ଏବଂ ଆଇପିଏଲ ଖେଳିପାରନ୍ତି। ତେବେ ଏବି ଡିଭିଲିୟସର୍ର୍ଙ୍କ ଭବିଷ୍ୟ ପରେ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି।

Share