Categories: ରାଜ୍ୟ

ରାଜ୍ୟ ସରକାର ନେଉଥିବା ୯% ଜିଏସ୍‌ଟି ଛାଡ଼ କରନ୍ତୁ: ଭାଜପା

ଭୁବନେଶ୍ବର, ୨୪ା୧୧(ବ୍ୟୁରୋ): କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ‘ପୋଡ଼ା ଘା’ରେ ଲୁଣ ଦେବା’ ସଦୃଶ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଗରୁ କ’ଣ କେନ୍ଦୁପତ୍ର ଶ୍ରମିକମାନେ ସାମିଲ ନ ଥିଲେ କି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି। ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜୟନାରାୟଣ କହିଛନ୍ତି ଯେ, ଏବେ ବିଏସ୍‌କଓ୍ବୋଇରେ ସାମିଲ ହେଲେ ବୋଲି ଘୋଷଣା କରାଗଲା। ଫସଲ ବୀମା, ଇନପୁଟ ସବସିଡି, ପଦ୍ମପୁର ରେଳ ଲାଇନ ପ୍ରକଳ୍ପର ମିଥ୍ୟା ପରେ ଏହା ବିଜେଡି ସରକାରଙ୍କ ଆଉ ଏକ ମିଛ ଘୋଷଣା। ସାଧାରଣ ପିଲାଙ୍କ ପାଇଁ ମିଳୁଥିବା ଛାତ୍ରବୃତ୍ତିରୁ ବଞ୍ଚିତ ଥିଲେ କି କେନ୍ଦୁପତ୍ର ଶ୍ରମିକଙ୍କ ପିଲାମାନେ ନା ଆଜିର ଘୋଷଣା କେବଳ ମିଥ୍ୟା ପ୍ରଚାର। ରାଜ୍ୟ ସରକାର କେନ୍ଦୁପତ୍ରରୁ ୨ ଶହ କୋଟି ଟଙ୍କା ଆୟ କରୁଛନ୍ତି। ହେଲେ କେନ୍ଦୁପତ୍ର ଶ୍ରମିକ, କର୍ମଚାରୀଙ୍କ ଦୁଃଖ ବୁଝୁନାହାନ୍ତି। କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ଗୋଛା କଟାଳି, ସିଜନାଲ ଷ୍ଟାଫଙ୍କୁ ଓଡ଼ିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ୨୦୧୩ ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତ୍ତାବଳୀ ଲାଗୁ ହେବା ପାଇଁ ଘୋଷଣା କରିଥିଲେ। ସେ ଘୋଷଣା କୁଆଡେ ଗଲା ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ନିଜେ କେନ୍ଦୁପତ୍ର ଉପରେ ନେଉଥିବା ୯ ପ୍ରତିଶତ ଜିଏସଟି ଟିକସ ଛାଡ କରି ଉଦାହରଣ ସୃଷ୍ଟି କରନ୍ତୁ। ଜିଏସଟି କାଉନସିଲରେ କାହିଁକି ଅର୍ଥ ମନ୍ତ୍ରୀ ବିଧିବଦ୍ଧ ଭାବେ ରାଜ୍ୟ ସରକାର ଜିଏସଟି ଛାଡ କରିବା ପାଇଁ ପ୍ରସ୍ତାବ ରଖିନାହାନ୍ତି। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଦାବି କରାଯାଇଥିବା ୨୦୦ କୋଟି ଟଙ୍କାର ପ୍ୟାକେଜ ରାଜ୍ୟ ସରକାର କାହିଁକି ଲାଗୁ କରିନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।