ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ ସହ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଥିଲା। ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଓ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବ୍ରିଟିଶ ସହିତ ଲଢେଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଖଣ୍ଡା, ବର୍ଚ୍ଛା, ଢାଲ, ପାଇକ ବୀରଙ୍କ ତୈଳଚିତ୍ର, ପ୍ରାଚୀନ କୀର୍ତ୍ତିରାଜି ପ୍ରଭୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ। ଆଗାମୀ ପିଢିଙ୍କୁ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ଉକ୍ତ ସଂଗ୍ରହାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ତେବେ କୌଣସି କାରଣରୁ ଏହି କୋଠା ଉଦ୍‌ଘାଟନ ହୋଇପାରି ନ ଥିଲା। ଫଳରେ କୋଠାଟି ପରିତ୍ୟକ୍ତ ଅବସ୍ଥାରେ ରହିଛି।
ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତ, କାନ୍ଥ ଫାଟିି ଆଁ କରିବା ସହ ଲୁହାଫାଟକରେ କଳଙ୍କି ଲାଗିଯାଇଛି। ଏପରିକି କୋଠା ପରିସର ବିଷଧର ସାପଙ୍କ ବାସସ୍ଥାନ ପାଲଟିଛି। ଗତ ୨୦୧୯ ଫନୀ ବାତ୍ୟାରେ ଏହି କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ କୋଠା କାମରେ ଲାଗିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପଟେ ଗୁରୁଜଙ୍ଗଠାରେ ୯୦ ଦଶକରେ ଆରମ୍ଭ ହୋଇଥିଲା ସମରକଳା ଏକାଡେମୀ। ସେହି ସମୟରେ ପାଇକଙ୍କ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବକମାନେ ସମରକଳା ଓ ପାଇକ ଆଖଡ଼ା ସମ୍ପର୍କରେ ପ୍ରଶିକ୍ଷଣ ନେଉଥିଲେ। କୁହାଯାଏ, ସେହି ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଏହି ସ୍ଥାନ ପରିଦର୍ଶନ କରି କଳାର ଉଚ୍ଚ ପ୍ରଶଂସା କରିଥିଲେ। ତେବେ ଆବଶ୍ୟକ ଭିତ୍ତିିଭୂମି ଅଭାବରୁ ଏହା ଆଗକୁ ବଢିପାରିଲା ନାହିଁ। ପ୍ରୋତ୍ସାହନ ଅଭାବରୁ ମାଟିରେ ମିଶିଗଲା।
୨୦୨୨ ଜୁନ୍‌ରେ ୧୧ ବର୍ଷ ପରେ ଖୋର୍ଦ୍ଧା ବ୍ଳକ ପକ୍ଷରୁ ପାଇକ ସଂଗ୍ରହାଳୟ କୋଠା ପୁନରୁଦ୍ଧାର କାର୍ଯ୍ୟ କରାଯାଇଥିଲା। ତେବେ ନିର୍ମାଣ ହେବା ପରଠାରୁ ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ପ୍ରଥମଥର ଲାଗି ମୁଖ୍ୟ ଫାଟକ ତାଲା ଖୋଲିଥିଲା। ଦୀର୍ଘ ଦିନ ଧରି ଅନାବନା ଗଛଲତାରେ ଲୁଚି ଯାଇଥିବା ଏହି କୋଠାର ପୁନରୁଦ୍ଧାର ଚାଲିଥିବା ନେଇ ପ୍ରଚାରିତ ହେବା ପରେ ବିଭିନ୍ନ ପାଇକ ସଙ୍ଗଠନ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା। ତେବେ କୋଠା ମରାମତି ପରେ ପୁଣି ଥରେ ଏଠାରେ ତାଲା ଝୁଲିଲା। ପାଇକ ସଙ୍ଗଠନଗୁଡ଼ିକର ଆଶା ମଉଳିଗଲା।
ପାଇକ ଫାଉଣ୍ଡେଶନ କର୍ତ୍ତୃପକ୍ଷ କହିଛନ୍ତି, ଗୋଟିଏ ଜାତି ତାର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧୋପତନ ମଧ୍ୟ ଘଟିଥାଏ। ଯେଉଁ ପାଇକ ପୁଅ ଦିନେ ଇଂରେଜଙ୍କୁ ଧୂଳି ଚଟାଇଥିଲେ, ଯାହାଙ୍କ ନଁା ଶୁଣିଲେ ବ୍ରିଟିଶ ସାମ୍ରାଜ୍ୟ ଥରି ଉଠୁଥିଲା, ସେହି ବୀରତ୍ୱ ମାଟିର ସୁଯୋଗ୍ୟ ସନ୍ତାନଙ୍କ କାହାଣୀ କେବଳ ଇତିହାସ ପୃଷ୍ଠାରେ ରହିଯାଇଛି। ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କୁହନ୍ତି, ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ସ୍ବାଧୀନୋତ୍ତର ଭାରତର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ଆନ୍ଦୋଳନର ମାନ୍ୟତା ମିଳିଛି। ସେହି ପାଇକଙ୍କ ବୀରତ୍ୱର ଗାଥା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ତଥା ଭବିଷ୍ୟତ ପିଢିଙ୍କ ସକାଶେ ଏଠାରେ ପାଇକ ସଂଗ୍ରହାଳୟ ପାଇଁ ଯୋଜନା ହୋଇଥିଲା। ତାହା କେବଳ ସଭା,ସମିତି, ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ହୋଇ ରହିଗଲା। ସାମାଜିକ କର୍ମୀ ଶୋଭନ ଘୋଷ କହିଛନ୍ତି, ଲାଲମାଟିର ଗଡ଼ ଖୋର୍ଦ୍ଧା ଆଜି ଅବହେଳିତ ଅବସ୍ଥାରେ ରହିଛି। ପାଇକ ସଂଗ୍ରହାଳୟ ସ୍ଥାପନ ହେଲେ, ପାଇକମାନଙ୍କ ଯୁଦ୍ଧ ରଣକୌଶଳ ସମ୍ପର୍କରେ ଆଗାମୀ ଯୁବପିଢି ଜାଣିବାର ସୁଯୋଗ ପାଇଥାନ୍ତେ। ଏ ମାଟିର ଗୌରବ ବଢିଥାନ୍ତା। ରାଜନୈତିକ ଇଚ୍ଛାଶକ୍ତି ଓ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଏହି କୋଠା କାର୍ଯ୍ୟକ୍ଷମ ନେଇ ଆଶଙ୍କା ରହିଛି। କଳିଙ୍ଗ ପାଇକ ସଙ୍ଗଠନର ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦ ଦେଶରେ ତତ୍କାଳୀନ ରାଷ୍ଟ୍ରପତି ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ ଖଣ୍ଡେ ଇଟା ପଡିନି। ପ୍ରସ୍ତାବିତ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବା ବେଳେ ସଂଗ୍ରହାଳୟ ପ୍ରତିଷ୍ଠା ଆଶା କ୍ଷୀଣ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଜିଲାର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ପାଇକ ସ୍ମାରକୀ ନିର୍ମାଣ ପାଇଁ ରହିଥିବା ଜମି ବିବାଦ ତୁଟିଛି। ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।