Categories: ଜାତୀୟ

‘ଅବ୍ବା ଜାନ୍‌’ ମନ୍ତବ୍ୟ: ଯୋଗୀଙ୍କ ନାଁରେ ମାମଲା

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପାର ଧ୍ରୁବୀକରଣ ପ୍ରୟୋଗ ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ୍‌’ ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି କରିଛି। ଇତିମଧ୍ୟରେ ବିହାରର ମୁଜାଫରପୁରସ୍ଥିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ଙ୍କ କୋର୍ଟରେ ଏନେଇ ଏକ ମାମଲା ରୁଜୁ
ହୋଇଛି। ଏଭଳି ମନ୍ତବ୍ୟ ମୁସଲମାନ ସମୁଦାୟର ଧର୍ମୀୟ ଭାବାବେଗକୁ କୁଠାରାଘାତ କରିଥିବା ସ୍ଥାନୀୟ ସାମାଜିକ କର୍ମୀ ତମନ୍ନା ହାଶମି ଉକ୍ତ ପିଟିଶନରେ ଦର୍ଶାଇଛନ୍ତି।
ଆଦିତ୍ୟନାଥଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ ପାଳି ଶେଷ ହେବାକୁ ଯାଉଛି। ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଭଳି ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଓ ବିବାଦରେ ରହିଆସିଥିବା ଗୋରଖପୁର ମହନ୍ତ ଯୋଗୀ ରବିବାର କୁଶିନଗରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁସଲମାନ ସମୁଦାୟ ଓ ବିରୋଧୀ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ସରକାର ଏବେ ସମସ୍ତଙ୍କୁ ରିହାତି ମୂଲ୍ୟରେ ରାଶନ ସାମଗ୍ରୀ ଯୋଗାଇ ଦେଉଛନ୍ତି। କିନ୍ତୁ ୨୦୧୭ ପୂର୍ବରୁ କେବଳ ସେମାନଙ୍କୁ ‘ଅବ୍ବା ଜାନ୍‌’ କହୁଥିବା ଲୋକଙ୍କୁ ମିଳୁଥିଲା। ଲୋକେ ‘ଅବ୍ବା ଜାନ୍‌’ କହି ରାଶନ ସାମଗ୍ରୀଗୁଡ଼ିକୁ ହଜମ କରିଦେଉଥିଲେ। କୁଶିନଗରର ରାଶନ ନେପାଳ ଓ ବାଂଲାଦେଶକୁ ଚାଲାଣ ହୋଇଯାଉଥିଲା। ବର୍ତ୍ତମାନ ଯିଏ ବି ଲୋକଙ୍କ ରାଶନ ଗିଳିବାକୁ ଉଦ୍ୟମ କରିବେ ତାଙ୍କୁ ଜେଲକୁ ପଠାଇଦିଆଯିବ।
ଅବ୍ବା ଜାନ୍‌ ଏକ ଉର୍ଦ୍ଦୁ ଶବ୍ଦ, ଯାହାର ଅର୍ଥ ହେଉଛି ବାପା। ଉତ୍ତରପ୍ରଦେଶର ମୋଟ ଜନସଂଖ୍ୟାର ୧୯.୨୬% ହେଉଛନ୍ତି ମୁସଲମାନ। ତେଣୁ ରାଜ୍ୟର ମୁସଲମାନ ସମୁଦାୟକୁ ଟାର୍ଗେଟ କରି ଯୋଗୀ ଦେଇଥିବା ଉପରୋକ୍ତ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସମାଜବାଦୀ ପାର୍ଟି ମତରେ ଏଭଳି ଅସଂସଦୀୟ ଭାଷା ମୁଖ୍ୟମନ୍ତ୍ରୀଙ୍କୁ ଶୋଭା ପାଉନାହିଁ। ଯୋଗୀ କମ୍‌ ଶିକ୍ଷିତ ବୋଲି ଏଥିରୁ ବୁଝାପଡ଼ୁଛି। କଂଗ୍ରେସର ଅଭିଯୋଗ ହେଉଛି, ସମାଜ ବିଭାଜନ ପାଇଁ ଉଦ୍ଦିଷ୍ଟ ଯୋଗୀଙ୍କ ଭାଷା ଗଣତନ୍ତ୍ରକୁ ମଳିନ କରିଛି। ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା କହିଛନ୍ତି, ଏକ କାର୍ଯ୍ୟସୂଚୀ ନେଇ ନିର୍ବାଚନ ଲଢ଼ିବା ଭାଜପାର ଲକ୍ଷ୍ୟ ନୁହେଁ। ଏହି ଦଳ ସାମ୍ପ୍ରଦାୟିକତା ଓ ଘୃଣାଭାବ ସୃଷ୍ଟି କରି ମୁସଲମାନଙ୍କ ବିରୋଧରେ ବିଷାକ୍ତ ପରିବେଶ ସୃଷ୍ଟି କରୁଛି। ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ରାଶନକୁ ମୁସଲମାନମାନେ ଖାଇଗଲେ ବୋଲି ମୁଖ୍ୟମନ୍ତ୍ରୀ କହିବା ଦୁର୍ଭାଗ୍ୟଜନକ। ସଂଯୁକ୍ତ ଜନତା ଦଳ (ଜେଡିୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ କହିଛନ୍ତି, ଏ ଦେଶ ସମସ୍ତଙ୍କର। ଏଠାରେ ‘ବିବିଧତାରେ ଏକତା’ ଭଳି ବାକ୍ୟର ବ୍ୟବହାର କରାଯାଏ। ଦେଶକୁ କ୍ଷତି କରିବା ଭଳି ମନ୍ତବ୍ୟ ଦେବା ଅନୁଚିତ। ସେହିପରି ଯୋଗୀଙ୍କ ଅବ୍ବା ଜାନ୍‌ ମନ୍ତବ୍ୟ ଅପମାନଜନକ ବୋଲି ବିଶିଷ୍ଟ ଅଭିନେତା ନାସିରୁଦ୍ଦିନ ଶାହା କହିଛନ୍ତି।

Share