Categories: ଜାତୀୟ

ଏବିଜି ଗ୍ରୁପ୍‌ର ଚେୟାରମ୍ୟାନ୍‌ ରିଷି ଅଗ୍ରଓ୍ବାଲ ଗିରଫ

ନୂଆଦିଲ୍ଲୀ,୨୧।୯:  ଏବିଜି ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରିଷି ଅଗ୍ରୱାଲଙ୍କୁ ୨୨,୦୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ଗିରଫ କରିଛି। ଏବିଜି ସିପିୟାର୍ଡ ଲିମିଟେଡ ୧୯୮୫ ମସିହାରେ ଆରମ୍ଭ ହୋଇଥିଲା। ଗୁଜରାଟର ଡାହେଜ ଏବଂ ସୁରଟରେ କମ୍ପାନୀ ଜଳ ଜାହାଜ ନିର୍ମାଣ ଏବଂ ମରାମତି କାର୍ଯ୍ୟରେ ନିୟୋଜିତ ଥିଲା। ଏପର୍ଯ୍ୟନ୍ତ ଏହି କମ୍ପାନୀ ୧୬୫ ଜାହାଜ ନିର୍ମାଣ କରିଛି । ୧୯୯୧ ସୁଦ୍ଧା, ଏହି କମ୍ପାନୀ ଦେଶ ତଥା ବିଦେଶରୁ ବିପୁଳ ଅର୍ଡର ପାଇ ପ୍ରଚୁର ଲାଭ କଲା। ୨୦୧୬ରେ, କମ୍ପାନୀ ୫୫୦ ମିଲିୟନ ଡଲାରରୁ ଅଧିକ କ୍ଷତି ସହିଥିଲା ଏବଂ ଏହା ପରେ ଏବିଜି ସିପିୟାର୍ଡର ଅବସ୍ଥା ବିଗିଡି ଯାଇଥିଲା। ଏହାର ଆର୍ଥିକ ସ୍ଥିତିକୁ ଦର୍ଶାଇ କମ୍ପାନୀ ବ୍ୟାଙ୍କରୁ ଋଣ ନେଇ ଏହି ବଡ ସ୍କାମ କରିଥିଲା।
ଷ୍ଟେଟ ବ୍ୟାଙ୍କର ଅଭିଯୋଗ ଅନୁଯାୟୀ କମ୍ପାନୀ ବ୍ୟାଙ୍କରୁ ୨,୯୨୫ କୋଟି ଟଙ୍କା ଋଣ ନେଇଛି। ଏହା ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କରୁ ୭,୦୮୯ କୋଟି ଟଙ୍କା, ଆଇଡିବିଆଇ ବ୍ୟାଙ୍କରୁ ୩,୬୩୪ କୋଟି, ବ୍ୟାଙ୍କ ଅଫ ବରୋଦା ଠାରୁ ୧,୬୧୪ କୋଟି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧,୨୪୪ କୋଟି, ଭାରତୀୟ ଓଭରସିଜ ବ୍ୟାଙ୍କରୁ ୧,୨୨୮ କୋଟି ଟଙ୍କା ଋଣ ନିଆଯାଇଛି। ଏହିପରି, କମ୍ପାନୀ ମୋଟ ୨୮ଟି ବ୍ୟାଙ୍କରୁ ଋଣ ନେଇଥିଲା।

Share