ଭୁବନେଶ୍ୱର, ୧।୩(ବ୍ୟୁରୋ): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ ମିଳିଛି। ପାଠକ ବାପ ଓ ପୁଅଙ୍କୁ ଟ୍ରାଭେଲ୍ସ ବିଲ ଠକେଇ ମାମଲାରେ ହାଇକୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଖାରବେଳ ନଗର ଥାନାରେ ଉଭୟଙ୍କ ନାଁରେ ମାମଲା ଦାୟର ହୋଇଥିଲା। ଅଭୟକାନ୍ତ ଓ ଆକାଶଙ୍କୁ ୨ ଲକ୍ଷ ଟଙ୍କାର ୨ଜଣଙ୍କ ଜାମିନଦାରଙ୍କ ବଦଳରେ ଏହି ଜାମିନ ମିଳିଛି।
ଗତ ଫେବୃଆରୀ ୨୪ ତାରିଖରେ ଠକେଇ ଓ ଅନ୍ୟାନ୍ୟ ମାମଲାରେ ଫସିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ ଜାମିନଦାରଙ୍କ ବଦଳରେ ପାଣିଗ୍ରାହୀଙ୍କୁ ଜାମିନ ମିଳିଥିଲା। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ପାଠକ ବାପ ପୁଅଙ୍କୁ ଜାମିନ ମିଳିଛି।