ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ସୁପାରିସ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦୁର୍ନୀତି ବିରୋଧରେ ସର୍ବଦା କଡ଼ା ଆଭିମୁଖ୍ୟ ପୋଷଣ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁୁବାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇ ଜେଲ ଯାଇଥିବା ଭାରତୀୟ ବନ ସେବା(ଆଇଏଫ୍‌ଏସ୍‌) ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖି କେନ୍ଦ୍ରକୁ ସୁପାରିସ କରିଛନ୍ତି। ସର୍ବଭାରତୀୟ ପ୍ରଶାସନିକ ସେବାର ଜଣେ ଆଇଏଫ୍‌ଏସ୍‌ ଅଫିସରଙ୍କ ବିରୋଧରେ ଏଭଳି ସୁପାରିସ ରାଜ୍ୟର ପ୍ରଥମ ଘଟଣା।
ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସମ୍ପୃକ୍ତ ଆଇଏଫ୍‌ଏସ୍‌ ଅଫିସର ଦୁର୍ନୀତି କରି ବହୁ ସମ୍ପତ୍ତି ଠୁଳ କରିଛନ୍ତି। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି। ରାଜ୍ୟ ଭିଜିଲାନ୍ସ ବିଭାଗ ଏପର୍ଯ୍ୟନ୍ତ ଅଭୟ ଏବଂ ତାଙ୍କ ପୁତ୍ର ଆକାଶ ପାଠକଙ୍କଠାରୁ ୨୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି। ଉକ୍ତ ପ୍ରମାଣ ଆଧାରରେ ଉଭୟଙ୍କୁ ଗରିଫ କରାଯାଇଛି। ଏବେ ଉଭୟ ପିତାପୁତ୍ର ଜେଲରେ ଅଛନ୍ତି। ଭଭୟକାନ୍ତଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଆଇଏଫ୍‌ଏସ୍‌ ଅଧିକାରୀଙ୍କ ଘରୁ ୧୦ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଜବତ କରାଯାଇଥିଲା। ଏଥିସହିତ ଚାର୍ଟର ବିମାନରେ ଯିବା ଆସିବାରେ ସେ ୩କୋଟି ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା। ପୁଣେଠାରେ ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିବା ବାବଦରେ ସେ ୧କୋଟି ଟଙ୍କା ଘରଭଡ଼ା ଆକାରରେ ଦେଇଥିଲେ। ଏପରି କି ଉଭୟ ବାପପୁଅ ବେଆଇନଭାବେ ଅର୍ଜିତ କରିଥିବା ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।
ସେହିପରି ଅଭୟକାନ୍ତ ତାଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରେ ବେଆଇନ କ୍ୟାଶ ଡିପୋଜିଟ କରୁଥିଲେ। ଏଥିସହ ଆକାଶ ଟାଟା ମୋଟର୍ସରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିବା ନେଇ ମିଥ୍ୟା ପରିଚୟ ଦେଇ ବହୁ ଲୋକଙ୍କୁ ଠକିଛନ୍ତି। ଚାକିରି କରାଇଦେବା ବାହାନାରେ ଅନେକ ବେକାର ଯୁବତୀଯୁବକଙ୍କଠାରୁ ପ୍ରଚୁର ଅର୍ଥ ନେବା ସହ ଜାଲିଆତି, ଠକେଇ କରିଛନ୍ତି। ସେଥିପାଇଁ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

Share