ନୂଆଦିଲ୍ଲୀ, ୨୨ା୮: ଅଭିଜିତ୍ ପଲ ନିର୍ଦ୍ଦେଶିତ ‘ଆମ୍ ଆଇ’ ଶ୍ରେଷ୍ଠ ଶର୍ଟ ଫିଲ୍ମ ଭାବେ ବିବେଚିତ ହୋଇଛି। ଦ୍ୱିତୀୟ ସ୍ଥାନରେ ଦେବୋଜୋ ସଞ୍ଜୀବ ନିର୍ଦ୍ଦେଶିତ ‘ଅବ୍ ଭାରତ ବନେଗା ଇଣ୍ଡିଆ’ ଓ ତୃତୀୟ ସ୍ଥାନରେ ଯୁବରାଜ ଗୋକୁଲ ନିର୍ଦ୍ଦେଶିତ ଶର୍ଟ ଫିଲ୍ମ ‘ ୧୦ ରୁପିଜ୍’ ସ୍ଥାନ ପାଇଛି। ଶ୍ରେଷ୍ଟ ଫିଲ୍ମ ଲାଗି ୧ ଲକ୍ଷ ଟଙ୍କା ଘୋଷଣା କରାଯାଇଥିବାବେଳେ ଦ୍ୱିତୀୟ ସ୍ଥାନ ଲାଗି ୫୦ ହଜାର ଓ ତୃତୀୟ ସ୍ଥାନ ଲାଗି ୨୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ(ଏନ୍ଏଫ୍ଡିସି) ଦ୍ୱାରା ଆୟୋଜିତ ଦେଶଭକ୍ତି ବିଷୟ ଉପରେ ଆଧାରିତ ଶର୍ଟ ଫିଲ୍ମ ଫେଷ୍ଟିଭାଲର ଫଳାଫଳ ଶୁକ୍ରବାର ଘୋଷଣା କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର ଏହି ଫଳାଫଳ ଘୋଷଣା କରିଥିଲେ। ଏଥିରେ ୮ଟି ଫିଲ୍ମକୁ ସ୍ପେଶାଲ ମେନ୍ସନ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଜାଭ୍ଡେକର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୁଲାଇ ୧୪ରୁ ଅଗଷ୍ଟ ୭ ମଧ୍ୟରେ ମାଇଁଗଭ୍ ପୋର୍ଟାଲ ମାଧ୍ୟମରେ ଏହି ଶର୍ଟ ଫିଲ୍ମଗୁଡ଼ିକ ପ୍ରସାରଣ କରାଯାଇଥିଲା।