ସରିଲା ରିମାଣ୍ଡ ଅବଧି, ଜେଲ ଫେରିଲେ ଅଭିଜିତ୍‌

ଭୁବନେଶ୍ୱର,୧୨।୭(ସତ୍ୟଜିତ୍‌ ରାଉତ): ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ(ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଦ୍ୱାରା ରିମାଣ୍ଡରେ ଆସି ଜେରା ହେଉଥିବା ଅଭିଜିତ ସଞ୍ଜୟ ଜମ୍ବୁରେ ମଙ୍ଗଳବାର ପୁଣି ଜେଲକୁ ଫେରିଯାଇଛନ୍ତି। ୪ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତ ଅଭିଜିତ୍‌ଙ୍କୁ କୋର୍ଟରେ ହାଜର କରିଥିଲା ଏସ୍‌ଟିଏଫ୍‌। କୋର୍ଟଙ୍କ ଅନୁମତି ପରେ ଅଭିଜିତ୍‌ ଜେଲକୁ ଫେରିଥିଲେ। ତେବେ ଆଉ ଥରେ ଏସ୍‌ଟିଏଫ୍‌ ରିମାଣ୍ଡରେ ଆଣିପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅଭିଜିତ୍‌ଙ୍କୁ ଆଉ ଥରେ ରିମାଣ୍ଡରେ ଆଣିବାକୁ ଏସ୍‌ଟିଏଫ୍‌ ଆବେଦନ କରିନାହିଁ। ଏହି ରିମାଣ୍ଡ ଅବଧି ସମୟରେ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲେ ମଧ୍ୟ ଏନେଇ ଏଜେନ୍ସି ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ। ଆବଶ୍ୟକ ପଡ଼ିଲେ ଅଭିଜିତ୍‌ଙ୍କୁ ପରବର୍ତ୍ତୀ ସମୟରେ ରିମାଣ୍ଡରେ ଆଣିବାକୁ ନେଇ ବିଚାର କରାଯିବ ବୋଲି ଏସ୍‌ଟିଏଫ୍‌ ଏସ୍‌ପି କେ.କେ. ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଜିତ୍‌ଙ୍କୁ ଜେରା କରି ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ଏବଂ ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ୍‌ ସ୍କ୍ବାଡ୍‌ (ଏଟିଏସ୍‌) ଫେରିଯାଇଛି। ଏପରିକି ଆତଙ୍କବାଦୀ ଲିଙ୍କ୍‌ରେ ତଦନ୍ତ କରୁଥିବା ଏଟିଏସ୍‌ ପରବର୍ତ୍ତୀ ସମୟରେ ଅଭିଜିତ୍‌ଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ମହାରାଷ୍ଟ୍ର ନେଇପାରେ ବୋଲି ସୂଚନା ମିଳିଛି। ତେବେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଦଫା ଲାଗିବା ଭଳି ପ୍ରମାଣ ଏସ୍‌ଟିଏଫ୍‌ ହାତରେ ଏପର୍ଯ୍ୟନ୍ତ ଲାଗିନାହିଁ। ଏହି ମାମଲାରେ ଓଡ଼ିଶାରୁ ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କାଙ୍କ ସମେତ ୫ ଏବଂ ପୁଣେରୁ ଅଭିଜିତ୍‌ଙ୍କୁ ମିଶାଇ ୬ଜଣ ଗିରଫ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ତଦନ୍ତ ଜାରି ରଖିଛି।

Share