Advertisement

ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ

ଭୁବନେଶ୍ୱର(ବ୍ୟୁରୋ)/ଭଦ୍ରକ ଅଫିସ,୪।୯: ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର। କରୋନାରେ ଗୁରୁତର ହେବା ପରେ କୋଲକାତାରେ ତାଙ୍କର ଇକ୍‌ମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି।

ଅଭିଷେକଙ୍କ ଘର ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳରେ। ସେ ଉମାନ୍‌ରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ମା’ବାପାଙ୍କ ଏକମାତ୍ର ପୁଅ ଥିଲେ ସେ। ବିବାହ ଥିବା ଯୋଗୁ ମାର୍ଚ୍ଚ ୨୫ରେ ସେ ଘରକୁ ଆସିଥିଲେ। ମେ’ ୫ରେ ତାଙ୍କ ବିବାହ ହୋଇଥିଲା। ହେଲେ ବିବାହର ୮ ଦିନ ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର କୋଭିଡ୍‌ ଟେଷ୍ଟ ପଜିଟିଭ୍‌ ଆସିଥିଲା।

କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ସତ୍ତ୍ୱେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୨୩ ଦିନ ଆଇସିୟୁରେ ଚିକିତ୍ସିତ ହେବା ପରେ ବି ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଇକ୍‌ମୋ ଚିକିତ୍ସା ଲାଗି ଡାକ୍ତରମାନେ କହିଥିଲେ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ଯୋଗୁ ସ୍ତ୍ରୀ ସହାୟତା ପାଇଁ ଆକୁଳ ନିବେଦନ କରିଥିଲେ। ତାଙ୍କ ପାଇଁ କ୍ୟାମ୍ପେନ୍‌ ମଧ୍ୟ କରାଯାଇଥିଲା। ପରେ ଜୁନ୍‌ ୯ ତାରିଖରେ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା। ସେଠାରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ସତ୍ତ୍ୱେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share