କୋଲକାତା, ୧୯ା୫: ପଶ୍ଚିମବଙ୍ଗର ବହୁକୋଟି ଟଙ୍କା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରିପାରିବେ। କାଲକାଟା ହାଇକୋର୍ଟ ଗୁରୁବାର ତାଙ୍କ ପୂର୍ବ ରାୟକୁ କାଏମ ରଖିଛନ୍ତି। ସିବିଆଇ ଏବଂ ଇଡି ଏହି ମାମଲାରେ ଅଭିଷେକଙ୍କ ସମେତ ଟିଏମ୍ସିର ଯୁବନେତା କୁନ୍ତଳ ଘୋଷଙ୍କୁ ଜେରା କରିବା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଅଭିଷେକଙ୍କ ନାଁ ନେବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କ ଉପରେ ଚାପ ପକାଉଥିବା ପୂର୍ବରୁ ଘୋଷ ଅଭିଯୋଗ କରିଥିଲେ। ଉଭୟଙ୍କ ଉପରେ ଜଷ୍ଟିସ୍ ଅମ୍ରିତା ସିଂଙ୍କ ଜଣିକିଆ ଖଣ୍ଡପୀଠ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି। ଅଦାଲତଙ୍କ ସମୟ ବରବାଦ କରିଥିବାରୁ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଯାଇଥିବା ଆଇନଜୀବୀ ଫିରଦୁସ୍ ଶମିମ କହିଛନ୍ତି। ପୂର୍ବରୁ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ଅଭିଷେକଙ୍କ ଜେରା କରିବା ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କ୍ଷମତା ଦେଇଥିଲେ। ଏହା ବିରୋଧରେ ଅଭିଷେକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୁଇଟିଯାକ ପିଟିଶନ ଜଷ୍ଟିସ୍ ସିହ୍ନାଙ୍କ ଖଣ୍ଡପୀଠକୁ ପଠାଯାଇଥିଲା। ଗତ ୧୫ ତାରିଖରେ ଏହାର ଶୁଣାଣି ଶେଷ ହେବା ପରେ ଜଷ୍ଟିସ ସିହ୍ନା ରାୟକୁ ସଂରକ୍ଷିତ ରଖିଥିଲେ।