Categories: ଖେଳ

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଖେଳୁଛି। ଏଥିରେ ଭାରତ ପକ୍ଷରୁ ୩ ଯୁବ ଖେଳାଳି ଡେବ୍ୟୁ କରୁଛନ୍ତି।

ଏହି ୩ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଯୁବରାଜ ସିଂଙ୍କ ଶିଷ୍ୟ ଭାବେ ପରିଚିତ ଅଭିଷେକ ଶର୍ମା। ସେ ଗତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନିଂ କରି ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ତାଙ୍କର ଜାତୀୟ ଦଳରେ ସ୍ଥାନ ପକ୍କା ବୋଲି କୁହାଯାଉଥିଲା। ଶେଷରେ ସେ ଜିମ୍ବାଓ୍ବେ ବିପକ୍ଷରେ ନିଜର ଡେବ୍ୟୁ କରିଛନ୍ତି।

ପିଲାଦିନର ବନ୍ଧୁ ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଅଭିଷେକ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଥିବା ୧୧୧ତମ ଖେଳାଳି ପାଲଟିଛନ୍ତି। ଶାହାବାଜ ଅହମ୍ମଦ ଭାରତର ୧୧୦ତମ ଟି୨୦ ଖେଳାଳି ଥିଲେ। ଏବେ ଅଭିଷେକଙ୍କୁ ୧୧୧ନଂ କ୍ୟାପ୍‌ ମିଳିଛି ଯାହାକି ଏକ ସ୍ବତନ୍ତ୍ର ନମ୍ବର ଅଟେ।

ଆଇପିଏଲ୍‌ ପ୍ରଦର୍ଶନକୁ ଦେଖଇଲେ ଅଭିଷେକ ୧୬ ମ୍ୟାଚ୍‌ର ୧୬ ଇନିଂସରେ ଥରେ ଅପରାଜିତ ରହି ୨୦୪.୨୧ ଷ୍ଟ୍ରାଇକ୍‌ ରେଟ୍‌ ସହ ୪୮୪ ରନ୍‌ କରିଥିଲେ। ଏଥିରେ ୩ ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅପରାଜିତ ୭୫ ରନ୍‌ ଥିଲା। ସେ ଟୁର୍ନାମେଣ୍ଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ମଧ୍ୟ ଥିଲେ। ସେ ୩୬ ଚୌକା ଏବଂ ୪୨ ଛକା ମାରିଥିଲେ। ସର୍ବାଧିକ ରନ୍‌ କରିଥିବା ଖେଳାଳି ତାଲିକାରେ ଅଭିଷେକ ୧୦ମ ସ୍ଥାନରେ ଥିଲେ।

Share