ନୂଆଦିଲ୍ଲୀ, ୨୩ା୫: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ବିରୋଧରେ ବରିଷ୍ଠ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜେରା ବିରୋଧରେ ତାଙ୍କ ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ରାଜି ହୋଇଛନ୍ତି। ଶନିବାର ସିବିଆଇ ଅଭିଷେକଙ୍କୁ ୯ ଘଣ୍ଟା ଧରି ଜେରା କରିଥିଲା। ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ କୌଣସି ଜବରଦସ୍ତ ପଦକ୍ଷେପ ନ ନେବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେବାକୁ ଅଭିଷେକ ନିବେଦନ କରିଛନ୍ତି। ତାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ସଞ୍ଜୟ କାରୋଲଙ୍କ ଅବକାଶକାଳୀନ ଖଣ୍ଡପୀଠରେ ପିଟିଶନ ଦାଖଲ କରିଥିଲେ।