ଭଡ଼ାଘରେ ଚାଲିଛି ଅବକାରୀ ଥାନା

ବେଗୁନିଆ,୨୫ା୮(ସନ୍ଧ୍ୟାରାଣୀ ମିଶ୍ର): ବେଗୁନିଆରେ ୨୦୨୧ ମସିହାରୁ ଅବକାରୀ ଥାନା ଖୋଲିବା ଦିନଠାରୁ ଭଡ଼ାଘରେ ଚାଲିଛି। ତେବେ ଥାନାର ନିଜସ୍ବ ନୂତନ ଗୃହ ବେଗୁନିଆ ନିକଟ କୁଶପଲାଠାରେ ନିର୍ମାଣ ସରିଥିଲେ ମଧ୍ୟ ସ୍ଥାନାନ୍ତର ନ ହୋଇ ଭଡ଼ାଘରେ ଚାଲିଛି। ନୂତନ ଗୃହକୁ ନ ଆସି ଭଡ଼ାଘରେ ଚାଲିବା ପଛରେ କ’ଣ ରହସ୍ୟ ରହିଛି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏହି ଅବକାରୀ ଥାନା କାର୍ଯ୍ୟାଳୟ ବେଗୁନିଆ ଡାକଘର ପଛପଟେ ଥିବା ଗଳିର ଏକ ଘରେ ଚାଲୁଥିବାରୁ ଉକ୍ତ କାର୍ଯ୍ୟାଳୟ କେଉଁଠାରେ ଅଛି ଅଞ୍ଚଳର ଲୋକେ ଜାଣି ପାରୁନାହାନ୍ତି। ଏଠାରେ କର୍ମଚାରୀମାନେ ବସିବା ପାଇଁ ସୁବିଧା ନ ଥିବାବେଳେ ଅଭିଯୁକ୍ତମାନଙ୍କୁ ରଖିବାକୁ ମଧ୍ୟ କୌଣସି ସୁବିଧା ନାହିଁ। ବେଗୁନିଆ ଓ ବୋଲଗଡ଼ ବ୍ଲକ ଏବଂ ଖୋର୍ଦ୍ଧାର କିଛି ଅଞ୍ଚଳକୁ ନେଇ ଏହି ଥାନା କାର୍ଯ୍ୟ କରୁଥିବା ବେଳେ ଥାନାକୁ ଗାଡ଼ିଟିଏ ମଧ୍ୟ ଯୋଗାଇ ଦିଆଯାଇ ନାହିଁ। ଜଣେ ଇନ୍ସପେକ୍ଟର ଥାନା ଦାୟିତ୍ୱରେ ରହିବା ପାଇଁ ଥିବା ବେଳେ ଏବେ ଜଣେ ଏସ୍‌ଆଇ ଦାୟିତ୍ୱରେ ଅଛନ୍ତି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଗାଡି ଏବଂ କର୍ମଚାରୀଙ୍କ ଅଭାବରୁ ଉପଯୁକ୍ତ ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଫଳରେ ଅଞ୍ଚଳରେ ବେଆନଭାବେ ମଦ ବିକ୍ରି ବଢ଼ିଚାଲିଛି। କୁଶପଲାଠାରେ ଅବକାରୀ ଥାନାର ନିଜସ୍ବ ଗୃହ ନିର୍ମାଣ ସରିଥିବା ବେଳେ ସେଠାରେ ଥାନା କାର୍ଯ୍ୟାଳୟ ନ ଚାଲି ତାଲା ପଡି ରହିଛି। ଭଡ଼ାଘରେ ଅବକାରୀ ଥାନା କାର୍ଯ୍ୟାଳୟ ଚାଲିବାରୁ ଅଯଥା ସରକାରଙ୍କ ଅର୍ଥବ୍ୟୟ ହେଉଛି। ଅନ୍ୟପଟେ ଖୁବ୍‌ଶୀଘ୍ର ସେଠାରେ କାର୍ଯ୍ୟାଳୟ ଚାଲିବ ବୋଲି ଅବକାରୀ ଥାନା ଅଧିକାରୀ ଏନ୍‌.ଜାଗିନ ରାଓ ସୂଚନା ଦେଇଛନ୍ତି।

Share