Categories: ଖେଳ

ହଟିବ ଦ୍ୱିପାକ୍ଷିକ ସିରିଜ୍‌, ବର୍ଷକୁ ଥରେ ବିଶ୍ୱକପ୍‌

ଲଣ୍ଡନ, ୧୩ା୭ (ପି.ଟି.): କ୍ରିକେଟକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ କରିବା ପାଇଁ ଓ ଏହାକୁ ଅଧିକ ଲୋକପ୍ରିୟ କରିବା ଲାଗି କ୍ରିକେଟର ନିୟମ ପ୍ରଣେତା ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି) ପକ୍ଷରୁ କିଛି ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁସାରେ ଟେଷ୍ଟ କ୍ରିକେଟ ଓ ମହିଳା କ୍ରିକେଟ ପାଇଁ ଅତିରିକ୍ତ ଫଣ୍ଡିଂ ରଖାଯିବ। ଏହା ସହିତ ୨୦୨୭ ଦିନିକିଆ ବିଶ୍ୱକପ୍‌ ପରେ ଦିନିକିଆ କ୍ରିକେଟରେ ଖର୍ଚ୍ଚକାଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏମ୍‌ସିସିର ୧୩ ଜଣିଆ ସଦସ୍ୟ ଲଡର୍‌ସରେ ଏକ ବୈଠକରେ ଯୋଗ ଦେବା ପରେ ଏହି ପ୍ରସ୍ତାବ ଦିଆଯାଇଛି। ଏହା ସହିତ ୨୦୨୭ ପରେ ଦିନିକିଆ ଦ୍ୱିପାକ୍ଷିକ ସିରିଜ୍‌ ବନ୍ଦ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏହା ସହିତ ପ୍ରତି ବର୍ଷରେ ଥରେ ଲେଖାଏ ବିଶ୍ୱକପ ଆୟୋଜନ କରିବା ପାଇଁ ଏମ୍‌ସିସି ପ୍ରସ୍ତାବ ଦେଇଛି। ବିଭିନ୍ନ ଦେଶର ଘରୋଇ ଟି୨୦ ଲିଗ୍‌ ଲୋକପ୍ରିୟ ହେଉଥିବା କାରଣରୁ ଦିନିକିଆ କ୍ରିକେଟର ଲୋକପ୍ରିୟତା ବଜାୟ ରଖିବା ପାଇଁ ଏମ୍‌ସିସି ଏଭଳି ପ୍ରସ୍ତାବ ଦେଇଛି। ଦିନିକିଆ ବିଶ୍ୱକପ୍‌ ବାଦ ଖେଳା ଯାଉଥିବା ଦିନିକିଆ ଟୁର୍ନାମେଣ୍ଟକୁ ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଛି। ୨୦୨୭ ପରେ ଏହାକୁ ହ୍ରାସ କରିବା ପାଇଁ ଏମ୍‌ସିସି ନିଜ ଓ୍ବେବସାଇଟ୍‌ରେ ଉଲ୍ଲେଖ କରିଛି। ଦିନିକିଆ କ୍ରିକେଟର ସ୍ଥାୟିତ୍ୱ ବଜାୟ ରଖିବା ପାଇଁ ଏଭଳି ସଂଶୋଧନ ଆବଶ୍ୟକ ବୋଲି ଏମ୍‌ସିସି କହିଛି।
କ୍ରିକେଟ୍‌ର ୫ ଦିନିଆ ଫର୍ମାଟ ଟେଷ୍ଟ କ୍ରିକେଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଇସିସି ଅଧିକ ଫଣ୍ଡ ରିଲିଜ୍‌ କରିବା ଉପରେ ମଧ୍ୟ ଏମ୍‌ସିସି ଗୁରୁତ୍ୱ ଦେଇଛି। ସମଗ୍ର ବିଶ୍ୱରେ ଟେଷ୍ଟ କ୍ରିକେଟକୁ ଲୋକପ୍ରିୟ କରିବାର ଏହା ଏକମାତ୍ର ମାଧ୍ୟମ ବୋଲି ଏମ୍‌ସିସି କହିଛି। ଅନେକ ରାଷ୍ଟ୍ର ଟେଷ୍ଟ ମ୍ୟାଚ୍‌ ଆୟେଜନ କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଏହାର ମୂଳ କାରଣ ନିର୍ଦ୍ଧାରଣ କରିବା ଉପରେ ଏମ୍‌ସିସି ଗୁରୁତ୍ୱାରୋପ କରିଛି। ଗୋଟିଏ ଟେଷ୍ଟ ମ୍ୟାଚ ଆୟୋଜନରେ କେତେ ଖର୍ଚ୍ଚ ହେଉଛି ତା ଉପରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ଆବଶ୍ୟକ ବୋଲି କହିଛି ଏମ୍‌ସିସି। ଏହା ସହିତ ସହଯୋଗୀ ରାଷ୍ଟ୍ରଗୁଡିକରେ ମଧ୍ୟ ଟେଷ୍ଟ କ୍ରିକେଟକୁ ପହଞ୍ଚାଇବାର ସମୟ ଉପନୀତ ବୋଲି କୁହାଯାଇଛି।
ସମଗ୍ର ବିଶ୍ୱରେ ମହିଳା କ୍ରିକେଟର ସ୍ଥିତି ଏତେ ଭଲ ନ ଥିବା ବେଳେ ଏହାକୁ ଉନ୍ନତ କରିବା ପାଇଁ ପ୍ରସ୍ତାବ ଦେଇଛି ଏମ୍‌ସିସି। ପୂର୍ଣ୍ଣକାଳୀନ ସଦସ୍ୟଙ୍କ ସହିତ ସହଯୋଗୀ ରାଷ୍ଟ୍ରମାନଙ୍କୁ ଅଧିକ ଫଣ୍ଡ ଦେଲେ ମହିଳା କ୍ରିକେଟ ଲୋକପ୍ରିୟ ହୋଇପାରିବ ବୋଲି ଏମ୍‌ସିସି ପକ୍ଷରୁ କୁହାଯାଇଛି। ଏହା ସହିତ ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ନିବେଶ କରିବା ପାଇଁ ନିୟମ ଅଣାଯିବା ଆବଶ୍ୟକ ବୋଲି କୁହାଯାଇଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ୍‌ ଗ୍ୟାଟିଙ୍ଗ ଏହି କମିଟିର ମୁଖ୍ୟ ରହିଥିବା ବେଳେ ଭାରତର ସୌରଭ ଗାଙ୍ଗୁଲି ଓ ଝୁଲଣ ଗୋସ୍ବାମୀ ଏହି କମିଟିର ସଦସ୍ୟ ରହିଛନ୍ତି।

Share